ନୱାଜ ଶରିଫଙ୍କ ପାକିସ୍ତାନ ଆସିବାର ରାସ୍ତା ସଫା, ୨ ମାମଲାରେ ହାଇକୋର୍ଟରୁ ମିଳିଲା ଜାମିନ

ଇସଲାମାବାଦ,୧୯।୧୦: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ଶରିଫଙ୍କ ପାକିସ୍ତାନ ଆସିବାର ରାସ୍ତା ସଫା ହୋଇଯାଇଛି। ଆଭେନ୍ଫିଲ୍ଡ ଏବଂ ଅଲ-ଅଜିଜିଆ ଦୁର୍ନୀତି ମାମଲାରେ ପାକିସ୍ତାନର ଇସଲାମାବାଦ ହାଇକୋର୍ଟ ନୱାଜ ଶରିଫଙ୍କୁ ଜାମିନ ପ୍ରଦାନ କରିଛନ୍ତି। ତେବେ ଏହି ଆଶ୍ୱସ୍ତି ସ୍ବଳ୍ପ ମିଆଦି ଅଟେ ଏବଂ କୋର୍ଟ ପୂର୍ବତନ ପ୍ରଧାନମନ୍ତ୍ରୀଙ୍କୁ କେବଳ ଅକ୍ଟୋବର ୨୪ ପର୍ଯ୍ୟନ୍ତ ଗିରଫରୁ ମୁକ୍ତି ପ୍ରଦାନ କରିଛନ୍ତି। ଏହା ବ୍ୟତୀତ ପାକିସ୍ତାନ ଦୁର୍ନୀତି ନିବାରଣ କୋର୍ଟ ମଧ୍ୟ ତୋଶାଖାନା ମାମଲାରେ ନୱାଜ ଶରିଫଙ୍କ ବିରୋଧରେ ଜାରି ୱାରେଣ୍ଟକୁ ଖାରଜ କରିଛନ୍ତି।

ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ଶରିଫ ଗତ କିଛି ବର୍ଷ ହେବ ବ୍ରିଟେନରେ ଆତ୍ମ-ନିର୍ବାସିତ ଜୀବନ ବିତାଉଛନ୍ତି। ଏବେ ସେ ଅକ୍ଟୋବର ୨୧ରେ ପାକିସ୍ତାନକୁ ଫେରିବାକୁ ଯାଉଛନ୍ତି ଏବଂ ବିଶ୍ୱାସ କରାଯାଏ ଯେ ପାକିସ୍ତାନକୁ ଫେରିବା ପରେ ସେ ଆଗାମୀ ସାଧାରଣ ନିର୍ବାଚନରେ ଦଳର ନେତୃତ୍ୱ ନେଇପାରନ୍ତି। ତେବେ ଆଭେନ୍ଫିଲ୍ଡ ମାମଲା ଏବଂ ଅଲ-ଅଜିଜିଆ ମାମଲାରେ ନୱାଜ ଦୋଷୀ ସାବ୍ୟସ୍ତ ହୋଇଥିଲେ ଏବଂ ପାକିସ୍ତାନ ଫେରିବା ପରେ ତାଙ୍କୁ ଗିରଫ କରାଯିବ ବୋଲି ଆଶଙ୍କା ରହିଥିଲା। ବର୍ତ୍ତମାନ ହାଇକୋର୍ଟରୁ ସୁରକ୍ଷା ଜାମିନ ପାଇବା ପରେ ନୱାଜ ଶରିଫଙ୍କ ପାକିସ୍ତାନକୁ ଫେରିବା ପାଇଁ ରାସ୍ତା ସଫା କରାଯାଇଛି।

Share