ଇସଲାମାବାଦ୍,୧୪।୭: ପାକିସ୍ତାନରେ ପୁଣି ଜଣେ ହିନ୍ଦୁ ନାବାଳିକାଙ୍କୁ ଅପହରଣ କରିନିଆଯାଇଥିବା ଅଭିଯୋଗ ହୋଇଛି। ସିନ୍ଧ ପ୍ରଦେଶରେ ଜଣେ ୧୬ ବର୍ଷର ହିନ୍ଦୁ ଝିଅଙ୍କୁ ଅପହରଣ କରିନେଇ ଜୋରଜବରଦସ୍ତ ବିବାହ କରିଦିଆଯାଇଛି। ଅପହରଣ ପରେ ପ୍ରଥମେ ଧର୍ମ ପରିବର୍ତ୍ତନ କରି ଜଣେ ମୁସଲମାନ ଯୁବକଙ୍କ ସହ ନାବାଳିକାଙ୍କ ବିବାହ ସମ୍ପନ୍ନ ହୋଇଥିଲା। ହିନ୍ଦୁ ସମ୍ପ୍ରଦାୟର ଲୋକମାନେ ନ୍ୟାୟ ପାଇଁ ପାକିସ୍ତାନର ପୂର୍ବତନ ରାଷ୍ଟ୍ରପତି ଆସିଫ ଅଲି ଜରଦାରୀଙ୍କ ଘର ସମ୍ମୁଖରେ ବିରୋଧ ପ୍ରଦର୍ଶନ କରିଥିଲେ।
ସୂଚନାଯୋଗ୍ୟ, ସିନ୍ଧ ପ୍ରଦେଶର କାଜୀ ଅହମ୍ମଦ ସହରରୁ ନାବାଳିକାଙ୍କୁ ସପ୍ତାହେ ପୂର୍ବରୁ ଅପହରଣ କରାଯାଇଥିଲା। ପୋଲିସ ମୁତାବକ, ନାବାଳିକାଙ୍କୁ ଅପହରଣ କରାଯାଇ ନାହିଁ, ବରଂ ସେ ଜଣେ ମୁସଲମାନ ପୁଅଙ୍କୁ ପ୍ରେମ କରି ଫେରାର ହୋଇଯାଇଛନ୍ତି। ପରେ ଉଭୟ କରାଚିର ଏକ କୋର୍ଟରେ ବିବାହ କରିଥିଲେ।