ଇମ୍ରାନଙ୍କ ଘରେ ପହଞ୍ଚିଲେ ପାକିସ୍ତାନ ସେନା ମୁଖ୍ୟ

ଇସଲାମାବାଦ୍‌,୩୦।୩: ପାକିସ୍ତାନରେ ରାଜନୈତିକ ସଙ୍କଟ ମଧ୍ୟରେ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ବୁଧବାର ରାଷ୍ଟ୍ରକୁ ସମ୍ବୋଧିତ କରିବାର କାର୍ଯ୍ୟକ୍ରମ ରହିଛି। ଏହାପୂର୍ବରୁ ପାକିସ୍ତାନୀ ସେନା ମୁଖ୍ୟ ଜେନେରାଲ କମର ଜାଭେଦ ବାଜୱା ଏବଂ ଆଇଏସଆଇ ମୁଖ୍ୟ ନଦିମ ଅଞ୍ଜୁମ ଇମ୍ରାନଙ୍କୁ ଭେଟିବା ପାଇଁ ତାଙ୍କ ଘରେ ପହଞ୍ଚିଛନ୍ତି। ପାକିସ୍ତାନ ସେନାର ଉଭୟ ବରିଷ୍ଠ ଅଧିକାରୀ ଇମ୍ରାନଙ୍କୁ ଭେଟିବାକୁ ଆସିଛନ୍ତି। ତେବେ ଆଜି ଇମ୍ରାନ ସରକାରରେ ଥିବା ଆଇନ ମନ୍ତ୍ରୀ ଫାରୁଗ ନାସିମ ଏବଂ ଆଇଟି ମନ୍ତ୍ରୀ ଅମିନ-ଉଲ-ହକ ଇସ୍ତଫା ଘୋଷଣା କରିଛନ୍ତି। ଇମ୍ରାନଙ୍କ ପାଇଁ ଏହା ଏକ ବଡ ଝଟ୍‌କା ବୋଲି କୁହାଯାଉଛି। ଇମ୍ରାନ ସରକାରଙ୍କ ସୂଚନା ଓ ପ୍ରସାଦ ମନ୍ତ୍ରୀ ଫାୱଦ ଚୌଧୁରୀ ଦାବି କରିଛନ୍ତି, ଇମ୍ରାନ ଖାନ ଜଣେ ଖେଳାଳି ଯିଏ ଶେଷ ବଲ ପର୍ଯ୍ୟନ୍ତ ଖେଳନ୍ତି, ତେଣୁ ସେ ଇସ୍ତଫା ଦେବେ ନାହିଁ।
ସୂଚନାଯୋଗ୍ୟ, ଅର୍ଥନୀତି ଏବଂ ବୈଦେଶିକ ନୀତିକୁ ଠିକ ଭାବରେ ପରିଚାଳନା କରୁ ନ ଥିବାରୁ ବିରୋଧୀଦଳ ଇମ୍ରାନଙ୍କୁ ବାରମ୍ବାର ଟାର୍ଗେଟ୍‌ କରୁଛନ୍ତି। ସେମାନେ ପିଟିଆଇ ସରକାରକୁ ହଟାଇବାକୁ ଚାହୁଁଛନ୍ତି। ପାକିସ୍ତାନ ମୁସଲିମ ଲିଗ-ନୱାଜ (ପିଏମ୍‌ଏଲ-ଏନ୍‌) ଏବଂ ପାକିସ୍ତାନ ପିପୁଲ୍ସ ପାର୍ଟି (ପିପିପି) ର ପ୍ରାୟ ୧୦୦ ଏମ୍‌ପି ଚଳିତ ମାସ ୮ରେ ଜାତୀୟ ବିଧାନସଭା ସଚିବାଳୟରେ ଅବିଶ୍ୱାସ ପ୍ରସ୍ତାବର ନୋଟିସ ଦେଇଛନ୍ତି।
ଇମ୍ରାନଙ୍କ ବିରୋଧରେ ସଂସଦରେ ମାର୍ଚ୍ଚ ୨୮ରେ ଅବିଶ୍ୱାସ ପ୍ରସ୍ତାବ ଆଗତ ହୋଇଥିଲା। ମାର୍ଚ୍ଚ ୩୧ରେ ଭୋଟିଂ ହୋଇ ଫଳାଫଲ ଆସିବ। ଅବିଶ୍ୱାସ ପ୍ରସ୍ତାବ ଜିତିବା ପାଇଁ, ସଂସଦର ନିମ୍ନ ଗୃହରେ ସମୁଦାୟ ୩୪୨ ଜଣ ସଦସ୍ୟଙ୍କ ମଧ୍ୟରୁ ୧୭୨ ଜଣ ସଦସ୍ୟଙ୍କ ସମର୍ଥନ ଆବଶ୍ୟକ। ଜାତୀୟ ସଭାରେ ଇମ୍ରାନ ଖାନ ବହୁମତ ରହିଛି। ଏଠାରେ ତାଙ୍କ ପିଟିଆଇର ୧୫୫ ସଦସ୍ୟ ଏବଂ ମିଳିତ ସହଯୋଗୀ ଦଳର ୨୩ ସଦସ୍ୟ ଅଛନ୍ତି। ବିରୋଧୀ ଦଳର ୧୬୩ ସଦସ୍ୟ ଅଛନ୍ତି। ବିରୋଧୀ ଦଳ ଆଶା କରୁଛନ୍ତି ଯେ ଶାସକ ମିଳିତ ମଞ୍ଚର କିଛି ଅସନ୍ତୁଷ୍ଟ ବିଧାୟକ ତାଙ୍କ ସରକାରକୁ ହଟାଇବାରେ ସେମାନଙ୍କୁ ସମର୍ଥନ କରିବେ। ୨୦୧୮ରେ କ୍ରିକେଟରୁ ରାଜନେତା ପାଲଟିଥିବା ଇମ୍ରାନ କ୍ଷମତାକୁ ଆସିଥିଲେ ଏବଂ ପରବର୍ତ୍ତୀ ସାଧାରଣ ନିର୍ବାଚନ ୨୦୨୩ ରେ ହେବ।

Share