ଶ୍ରୀଲଙ୍କା ସ୍ଥିତି ମୁହାଁ ପାକିସ୍ତାନ…

ଇସଲାମାବାଦ,୧୧।୧ : ପାକିସ୍ତାନରେ ନଗଦ ସଙ୍କଟ ମଧ୍ୟରେ ମୁଦ୍ରାସ୍ଫୀତି ବେଲଗାମ ହୋଇଛି। ଦେଶର ସ୍ଥିତି ଏବେ ଶ୍ରୀଲଙ୍କା ମୁହାଁ ହେବାରେ ଲାଗିଛି। ଖାଦ୍ୟ ସାମଗ୍ରୀ ଇନ୍ଧନ ସାମଗ୍ରୀର ମୂଲ୍ୟରେ ତୀବ୍ର ବୃଦ୍ଧି ଘଟିବା ସହିତ ମୁଦ୍ରାସ୍ଫୀତି ପୂର୍ବ ବର୍ଷ ତୁଳନାରେ ପ୍ରାୟ ୩୧ ପ୍ରତିଶତ ବୃଦ୍ଧି ପାଇଛି। ୫୦୦ ପ୍ରତିଶତ ବୃଦ୍ଧି ଘଟିଛି। ବ୍ରେଡର ଦାମରେ ୭୩ ପ୍ରତିଶତ ବୃଦ୍ଧି ହୋଇଛି। ସେହିପରି ଚିକେନ ଦାମରେ ୮୨ ପ୍ରତିଶତ, ଡାଲିରେ ୫୧ ପ୍ରତିଶତ, ବାସୁମତୀ ଚାଉଳ ୪୬ ପ୍ରତିଶତ, କ୍ଷୀର ଦାମରେ ୩୦ ପ୍ରତିଶତ ବୃଦ୍ଧି ଘଟିଛି।

ପାକିସ୍ତାନ ପରିସଂଖ୍ୟାନ ବ୍ୟୁରୋ (ପିବିଏସ) ଦେଶର ୧୭ ଟି ପ୍ରମୁଖ ସହରର ୫୦ ଟି ବଜାରରୁ ସଂଗୃହିତ ୫୧ ଟି ଜରୁରୀ ଦ୍ରବ୍ୟର ମୂଲ୍ୟ ଗତିବିଧି ଉପରେ ଆଧାର କରି ଏହାର ରିପୋର୍ଟ ପ୍ରସ୍ତୁତ କରିଛି। ପାକିସ୍ତାନର ଲୋକଙ୍କୁ ପିଆଜ ଏବଂ ଟମାଟୋ ଭଳି ଅତ୍ୟାବଶ୍ୟକ ପନିପରିବା ପାଇଁ ଅଧିକ ମୂଲ୍ୟ ଦେବାକୁ ପଡୁଛି।

ଡନ ଖବରକାଗଜର ରିପୋର୍ଟ ଅନୁଯାୟୀ, ପାକିସ୍ତାନର ଅନେକ ସହରରେ ପିଆଜ କିଲୋଗ୍ରାମ୍‌ ପିଛା ୨୬୦ ରୁ ୨୮୦ ଟଙ୍କାରେ ବିକ୍ରି ହେଉଛି। ଅନେକ ସହରରେ ଟମାଟୋ କିଲୋଗ୍ରାମ ପିଛା ୮୦ ରୁ ୯୦ ଟଙ୍କା ମଧ୍ୟରେ ବିକ୍ରି ହେଉଛି। ସେହିପରି ଅଣ୍ଡା ଏକ ଡଜନ ଦାମ ୩୩୦ ଟଙ୍କା, ଚିକେନ ଏକ କିଲୋଗ୍ରାମ ୬୫୦, ପେଟ୍ରୋଲ ଲିଟର ପିଛା ୨୧୫, ଡିଜେଲ ଲିଟର ପିଛା ୨୨୮, କ୍ଷୀର ଲିଟର ପିଛା ୧୯୦, ଘିଅ ପ୍ରତି କିଲୋଗ୍ରାମ ୫୪୦, ତେଲ ଲିଟର ୫୮୦, ଆଳୁ କିଲୋ ପିଛା ୬୦ରେ ପହଞ୍ଚିଛି।

ଉଲ୍ଲେଖନୀୟ କଥା ହେଉଛି, ପାକିସ୍ତାନର ବୈଦେଶିକ ମୁଦ୍ରା ଭଣ୍ଡାର କ୍ରମାଗତ ଭାବେ ହ୍ରାସ ପାଉଛି। ପାକିସ୍ତାନର କେନ୍ଦ୍ରୀୟ ବ୍ୟାଙ୍କର ବୈଦେଶିକ ମୁଦ୍ରା ଭଣ୍ଡାର ୫.୫୭୬ ବିଲିୟନ ଡ଼ଲାରକୁ ଖସି ଆସିଛି। ଏହା ଆଠ ବର୍ଷ ମଧ୍ୟରେ ଏହା ସର୍ବନିମ୍ନ ସ୍ତରକୁ ଆସିଛି । ଦେଶରେ ବୈଦେଶିକ ମୁଦ୍ରା ଭଣ୍ଡାର କେବଳ ତିନି ସପ୍ତାହ ପାଇଁ ଆମଦାନୀ କରିବାକୁ ବାକି ଅଛି। ଅନ୍ୟପକ୍ଷରେ ପାକିସ୍ତାନର ଜନସାଧାରଣ ଋଣ ବର୍ଷରେ ୨୨ ପ୍ରତିଶତ ବୃଦ୍ଧି ପାଇ ୫୧ ଟ୍ରିଲିୟନ ଟଙ୍କାରେ ପହଞ୍ଚିଛି।

Share