ଭାରତ ସହ ସମ୍ପର୍କ ସୁଦୃଢ ପାଇଁ ଆଗେଇ ଆସିଲା ପାକିସ୍ତାନ

ନୂଆଦିଲ୍ଲୀ/ଇସଲମାବାଦ୍‌,୩୧।୩: ଦେବାଳିଆ ହୋଇପଡ଼ିଥିବା ପାକିସ୍ତାନର ଇମ୍ରାନ ଖାନ ସରକାର ବୁଧବାର ଭାରତ ସହ ସମ୍ପର୍କକୁ ସୁଦୃଢ କରିବା ଦିଗରେ ପ୍ରଥମ ପଦକ୍ଷେପ ନେଇଛନ୍ତି।ଦୁଇ ବର୍ଷ ଧରି ଭାରତ ଏବଂ ପାକିସ୍ତାନ ମଧ୍ୟରେ ଅଟକି ରହିଥିବା ବାଣିଜ୍ୟକୁ ପୁନଃ ଆରମ୍ଭ କରିବାକୁ ଇମ୍ରାନ ସରକାର ସବୁଜ ସଙ୍କେତ ଦେଇଛନ୍ତି। ଏହି ସୂଚନା ପାକିସ୍ତାନ ଗଣମାଧ୍ୟମ ରିପୋର୍ଟରୁ ଆସିଛି। ପାକିସ୍ତାନର ଅର୍ଥନୈତିକ ବ୍ୟାପାର ଉପରେ କ୍ୟାବିନେଟ ବୈଠକରେ ଇମ୍ରାନ ଖାନ ସରକାର ଭାରତ ସହ ବାଣିଜ୍ୟ ଆରମ୍ଭ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହାପୂର୍ବରୁ ଅଗଷ୍ଟ ୨୦୧୯ରେ ଜମ୍ମୁ କଶ୍ମୀର ସ୍ବତନ୍ତ୍ର ମାନ୍ୟତା ଶେଷ କରିବା ପରେ ପାକିସ୍ତାନ ଭାରତ ସହ ସମ୍ପର୍କ ଛିନ୍ନ କରିଥିଲା।
ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ନରେନ୍ଦ୍ର ମୋଦିଙ୍କୁ ଏକ ଚିଠି ଲେଖି କହିଛନ୍ତି ଯେ ଜମ୍ମୁ କଶ୍ମୀର ସମେତ ଦୁଇ ଦେଶ ମଧ୍ୟରେ ଥିବା ସମସ୍ତ ସମସ୍ୟାର ସମାଧାନ ପାଇଁ ଏକ ଅନୁକୂଳ ପରିବେଶ ସୃଷ୍ଟି କରିବା ଆବଶ୍ୟକ। ଗତ ସପ୍ତାହରେ ପାକିସ୍ତାନ ଦିବସ ଅବସରରେ ପ୍ରଧାନମନ୍ତ୍ରୀ ମୋଦି ତାଙ୍କୁ ପଠାଇଥିବା ଅଭିନନ୍ଦନଙ୍କ ଉତ୍ତରରେ ଖାନ ଏହି ଚିଠି ଲେଖିଛନ୍ତି। ମୋଦି ତାଙ୍କ ଚିଠିରେ କହିଛନ୍ତି ଯେ ପାକିସ୍ତାନ ସହ ଆନ୍ତରିକ ସମ୍ପର୍କ ପାଇଁ ଭାରତ ଚାହୁଁଛି, କିନ୍ତୁ ଏଥିପାଇଁ ଆତଙ୍କ ଏବଂ ଘୃଣାର ବାତାବରଣ ଶେଷ କରିବ ଜରୁରୀ ଅଟେ।
ପ୍ରଧାନମନ୍ତ୍ରୀ ମୋଦିଙ୍କ ଚିଠିର ଉତ୍ତରରେ ଇମ୍ରାନ ତାଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଏଥି ସହିତ ପାକିସ୍ତାନବାସୀ ଭାରତ ସମେତ ସମସ୍ତ ପଡୋଶୀ ଦେଶ ସହ ଶାନ୍ତିପୂର୍ଣ୍ଣ ସହଯୋଗ ସମ୍ପର୍କ ପାଇଁ ଇଚ୍ଛା କରନ୍ତି। ଆତଙ୍କମୁକ୍ତ ପରିବେଶ ଉପରେ ଇମ୍ରାନ କହିଛନ୍ତି ଯେ, କଶ୍ମୀର ଭଳି ସମସ୍ତ ସମସ୍ୟାର ସମାଧାନ ହେଲେ ହିଁ ଶାନ୍ତି ସମ୍ଭବ।

Share