ଗୀତାଙ୍କୁ ମିିଳିଲେ ତାଙ୍କର ପ୍ରକୃତ ମା’!

କରାଚି,୧୧ ।୩: ପାକିସ୍ତାନର ଏକ ସାମାଜିକ କଲ୍ୟାଣ ସଙ୍ଗଠନ ଯେଉଁ ବିଦ୍ୟାଙ୍ଗ ଭାରତୀୟ ଯୁବତୀଙ୍କୁ ଆଶ୍ରା ଦେଇଥିଲେ ଓ ୨୦୧୫ରେ ଭାରତ ପଠାଇ ଦେଇଥିଲେ ଶେଷରେ ସେହି ଯୁବତୀଙ୍କୁ ତାଙ୍କର ପ୍ରକୃତ ମା’ ମିଳିଯାଇଥିବା କୁହାଯାଉଛି । ମହାରାଷ୍ଟ୍ରରେ ତାଙ୍କୁ ତାଙ୍କ ମା’ ମିଳିଛନ୍ତି । ସେ ଭୁଲ ବଶତଃ ପାକିସ୍ତାନ ଚାଲିଯାଇଥିବା ବେଳେ ସେଠାରୁ ପୂର୍ବତନ ବୈଦେଶିକ ମନ୍ତ୍ରୀ ସ୍ୱର୍ଗତଃ ସୁଷମା ସ୍ୱରାଜଙ୍କ ସହାୟତାରେ ୨୦୧୫ରେ ତାଙ୍କୁ ଭାରତ ଆଣିବା ସହ ଏପର୍ଯ୍ୟନ୍ତ ତାଙ୍କର ଅସଲ ପରିଜନଙ୍କୁ ଖୋଜା ଚାଲିଥିଲା । ଏବେ ପାକିସ୍ତାନର ଡନ୍ ଖବରକାଗଜର ସୂଚନା ଅନୁଯାୟୀ, ବିଶ୍ୱ ପ୍ରସିଦ୍ଧ ଇଧି ୱେଲଫେୟାର ଟ୍ରଷ୍ଟର ପୂର୍ବତନ ମୁଖ୍ୟ ସ୍ୱର୍ଗତ ଅବଦୁଲ ସତାର ଇଧିଙ୍କ ପତ୍ନୀ ବିଲକିସ ଇଧି କହିଛନ୍ତି ଗୀତା ନାମ୍ବୀ ଭାରତୀୟ ଯୁବତୀଙ୍କୁ ଏବେ ମହାରାଷ୍ଟ୍ରରେ ତାଙ୍କ ଅସଲ ମା’ ମିଳିଯାଇଛନ୍ତି । ଗୀତା ତାଙ୍କ ସମ୍ପର୍କରେ ଥିଲେ ଓ ଚଳିତ ସପ୍ତାହରେ ମହାରାଷ୍ଟ୍ରରେ ତାଙ୍କ ମା’ ମିଳିଯାଇଥିବା କଥା ଗୀତା ବିଲକିସଙ୍କୁ ଜଣାଇଥିବା ସେ କହିଛନ୍ତି । ତେବେ ଗୀତାଙ୍କ ପ୍ରକୃତ ନାମ ରାଧା ୱାଘମାରେ ବୋଲି ଜଣାପଡିଛି । ବିଲକିସ କହିଛନ୍ତି ଗୀତାଙ୍କୁ ସେ ରେଲୱେ ଷ୍ଟେଶନରୁ ପାଇବା ପରେ ତାଙ୍କ କେନ୍ଦ୍ର କରାଚିରେ ନେଇ ରଖିଥିଲେ । ସେତେବେଳେ ସେ ଶୁଣିପାରୁ ନ ଥିଲେ କି କହି ପାରୁ ନଥିଲେ । ପ୍ରଥମେ ସେ ତାଙ୍କର ନାମ ଫାତିମା ରଖିଥିଲେ ହେଲେ ଯେତେବେଳେ ସେ ହିନ୍ଦୁ ବୋଲି ଜଣାପଡିଥିଲା ସେତେବେଳେ ସେ ତାଙ୍କ ନାମ ଗୀତା ରଖିଥିବା କହିଛନ୍ତି ବିଲକିସ ।

Share