ଆତଙ୍କବାଦର ପ୍ରତିରୋଧ ପାଇଁ ପାକିସ୍ତାନ-ଇରାନର ସହମତ

ଇସ୍‌ଲାମାବାଦ,୨୦।୧: ପାକିସ୍ତାନର ଆତଙ୍କବାଦୀ ଆଡ୍ଡା ଉପରେ ଇରାନର ସର୍ଜିକାଲ ଷ୍ଟ୍ରାଇକ୍‌ ଏବଂ ଦିନକ ପରେ ଇସ୍‌ଲାମାବାଦ ପାଲଟା ଜବାବ ଦେବା ପରେ ଦୁଇଦେଶ ମଧ୍ୟରେ ସୃଷ୍ଟ ହୋଇଥିବା ଉତ୍ତେଜନା ହ୍ରାସ ପାଇଁ ଉଭୟ ଦେଶ ରାଜି ହୋଇଛନ୍ତି। ଏଥିସହିତ ଆତଙ୍କବାଦର ପ୍ରତିରୋଧ ପାଇଁ ସହଯୋଗ ବଢ଼ାଇବାକୁ ମଧ୍ୟ ଦୁଇ ଦେଶ ସହମତ ହୋଇଥିବା ଜଣାପଡ଼ିଛି।

ପାକିସ୍ତାନ ବହିର୍ବ୍ୟାପାର ମନ୍ତ୍ରୀ ଜଲିଲ ଆବ୍ବାସ ଜିଲାନି ତାଙ୍କ ଇରାନ ପ୍ରତିପକ୍ଷ ହୋସେଇନ୍‌ ଅମିର-ଅବଦୋଲ୍ଲାହିଆନ୍‌ଙ୍କ ସହ ଟେଲିଫୋନ୍‌ ଯୋଗେ କଥା ହୋଇଥିଲେ। ପାରସ୍ପରିକ ବିଶ୍ୱାସ ଓ ସହଯୋଗ ଆଧାରରେ ଇସ୍‌ଲାମାବାଦ ତେହରାନ ସହ କାମ କରିବାକୁ ଆଗ୍ରହୀ ବୋଲି ଜିଲାନି ଜଣାଇଥିଲେ। ଆଞ୍ଚଳିକ ସଂହତି ଓ ସାର୍ବଭୌମତ୍ୱକୁ ସମ୍ମାନ ସହଯୋଗର ଆଧାର ହେବା ଆବଶ୍ୟକ ବୋଲି ପାକ୍‌ ବହିର୍ବ୍ୟାପାର ମନ୍ତ୍ରୀ କହିଥିଲେ।

ଦୁଇ ଦେଶ ପରସ୍ପରର ରାଷ୍ଟ୍ରଦୂତମାନଙ୍କୁ ଫେରାଇ ନେଇଥିବା ପ୍ରସଙ୍ଗ ମଧ୍ୟ ଆଲୋଚନାରେ ସ୍ଥାନ ପାଇଥିଲା। ସୁରକ୍ଷା ପ୍ରସଙ୍ଗରେ ସହଯୋଗରେ ଘନିଷ୍ଠତାର ଆବଶ୍ୟକତା ରହିଛି ବୋଲି ଜିଲାନି କହିବା ସହ ସବୁ କ୍ଷେତ୍ରରେ ଇରାନ ସହ ଏକାଠି କାମ କରିବାକୁ ପ୍ରସ୍ତୁତ ବୋଲି ଜଣାଇଥିଲେ।

ସୂଚନାଯୋଗ୍ୟ, ପାକିସ୍ତାନର ବେଲୁଚିସ୍ତାନ ପ୍ରଦେଶସ୍ଥିତ ଆତଙ୍କବାଦୀ ସଙ୍ଗଠନ ଜୈଶ୍‌ ଅଲ୍‌-ଅଦଲର ୨ଟି ଶିବିର ଉପରେ ମଙ୍ଗଳବାର ଇରାନ ଡ୍ରୋନ୍‌ ଆକ୍ରମଣ କରିଥିଲା। ପାକିସ୍ତାନ ଗୁରୁବାର ଭୋର ସମୟରେ ଇରାନରେ ସକ୍ରିୟ ଥିବା ବେଲୁଚ୍‌ ବିଚ୍ଛିନ୍ନତାବାଦୀ ଗୋଷ୍ଠୀକୁ ଟାର୍ଗେଟ୍‌ କରି ପାଲଟା ଆକ୍ରମଣ କରବାରୁ ୯ ଜଣଙ୍କ ମୃତ୍ୟୁ ଘଟିଥିଲା।

Share