Categories: ଖେଳ

ପାକିସ୍ତାନକୁ ଘାରିଛି ଭୟ: ହାତରୁ ଯିବ….

ନୂଆଦିଲ୍ଳୀ,୩୦।୧୧: ୨୦୨୫ ଚାମ୍ପିଅନ୍ସ ଟ୍ରଫି ଆୟୋଜନକୁ ନେଇ ଦ୍ୱନ୍ଦ୍ୱ ବଢିବାରେ ଲାଗିଛି। ପାକିସ୍ତାନ ଏହି ସମ୍ମାନଜନକ ଆଇସିସି ଟୁର୍ନାମେଣ୍ଟ ଆୟୋଜନ କରୁଛି। ତେବେ ଏହି ବିଶ୍ୱସ୍ତରୀୟ ଟୁର୍ନାମେଣ୍ଟ ପାଇଁ ଟିମ ଇଣ୍ଡିଆ ପାକିସ୍ତାନ ଯିବ ନାହିଁ ବୋଲି ଘୋଷଣା କରିଛି। ଏଭଳି ପରିସ୍ଥିତିରେ ପାକିସ୍ତାନ ମଧ୍ୟ ହାଇବ୍ରିଡ ମଡେଲ ସୂତ୍ର ଗ୍ରହଣ କରୁନାହିଁ। ଟୁର୍ନାମେଣ୍ଟ ଆୟୋଜନ କାଳେ ହାତରୁ ଖସିଯିବ, ପାକିସ୍ତାନକୁ ଏହି ଭୟ ଏବେ ଘାରିଛି।
ପିସିବିର ଏକ ବିଭାଗ ଚାହୁଁଛି, ପୁରା ଚାମ୍ପିଅନ୍ସ ଟ୍ରଫିକୁ ପାକିସ୍ତାନରୁ ସ୍ଥାନାନ୍ତର କରାଯାଉ। ଏହି ପୁରା ଟୁର୍ନାମେଣ୍ଟ ଦୁବାଇରେ ଖେଳାଯିବା ଉଚିତ ଏବଂ ପାକିସ୍ତାନ ହୋଷ୍ଟିଂ ଅଧିକାର ପାଇଁ ୬୫ ମିଲିୟନ ଆମେରିକୀୟ ଡଲାରର ଚେକ ପାଇବା ଉଚିତ୍‌।

ଆଇସିସି ମଧ୍ୟସ୍ଥତାରେ ଶୁକ୍ରବାର ବୈଠକ ହୋଇଥିବା ବେଳେ ହାଇବ୍ରିଡ୍‌ ମଡେଲକୁ ନେଇ ପାକିସ୍ତାନ ଅନିଚ୍ଛା ଜାହିର କରିଥିଲା। ଏହାସହିତ ନିଜ ମତରେ ପାକିସ୍ତାନ କ୍ରିକେଟ ବୋର୍ଡ(ପିସିବି) ଅଟଳ ରହିଥିବା ବେଳେ ଏହି ବୈଠକକୁ ସ୍ଥଗିତ ରଖାଯାଇଥିଲା। ପିସିବି ମୁଖ୍ୟ ମୋହସିନ୍‌ ନକ୍‌ଭୀ ଏହି ବୈଠକରେ ଉପସ୍ଥିତ ରହିଥିବା ବେଳେ ବିସିସିଆଇ ସମ୍ପାଦକ ଜୟ ଶାହା ଭର୍ଚୁଆଲ ମୋଡରେ ଭାଗ ନେଇଥିଲେ। ଭାରତୀୟ କ୍ରିକେଟ ଦଳ ପକ୍ଷରୁ ପାକିସ୍ତାନକୁ ନ ଯିବା ପାଇଁ ନିଜ ଜିଦ୍‌ରେ ଅଟଳ ରହିଥିବା ବେଳେ ପିସିବି ମଧ୍ୟ ନିଜ ନିଷ୍ପତ୍ତିରେ ଅଟଳ ରହିଛି। ଉଲ୍ଲେଖଯୋଗ୍ୟ ଯେ, ଭାରତ ସରକାରଙ୍କ ପକ୍ଷରୁ ଅନୁମତି ମିଳି ନ ଥିବା କାରଣରୁ ପାକିସ୍ତାନ ଗସ୍ତରେ ଯିବାକୁ ଭାରତୀୟ କ୍ରିକେଟ ଦଳ ଅନିଚ୍ଛା ପ୍ରକାଶ କରିଛି। ଶନିବାର ଦିନ ଆଇସିସି ମଧ୍ୟସ୍ଥତାରେ ଉଭୟ ଦେଶର କ୍ରିକେଟ ବୋର୍ଡ ମଧ୍ୟରେ ପୁନର୍ବାର ବୈଠକ ଅନୁଷ୍ଠିତ ହେବ। ଏପରି କି ଆଗାମୀ କିଛି ଦିନ ପାଇଁ ଏହି ବୈଠକ ଜାରି ରହିବ ବୋଲି ଜଣାପଡିଛି।

ଭାରତୀୟ ବୈଦେଶିକ ମନ୍ତ୍ରଣାଳୟ ମଧ୍ୟ ସମାନ ମତ ପ୍ରକାଶ କରିଛି। ସୁରକ୍ଷା ଦୃଷ୍ଟିକୋଣରୁ ଭାରତୀୟ ଦଳ ପାକିସ୍ତାନ ଗସ୍ତରେ ଯିବା ଅନୁଚିତ ବୋଲି ଏହା ପ୍ରକାଶ କରିଛି। ବିସିସିଆଇ ପକ୍ଷରୁ ଏହାର ମତ ଦିଆଯାଇ ସାରିଛି। ସୁରକ୍ଷା ଚିନ୍ତା ରହିଥିବାରୁ ଭାରତୀୟ ଦଳ ପାକିସ୍ତାନ ଯିବାର କୌଣସି ସମ୍ଭାବନା ନାହିଁ ବୋଲି ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ମତ ଦିଆଯାଇଛି। ପିସିବି ମୁଖ୍ୟ ନକ୍‌ଭୀ ବିଗତ କିଛିଦିନ ହେବ ଦୁବାଇରେ ଅବସ୍ଥାନ କରୁଛନ୍ତି। ଟିଭି ରାଇଟ୍ସ ହାତେଇଥିବା ଜିଓ ଷ୍ଟାର ପକ୍ଷରୁ ଏହାକୁ ନେଇ ଅସହମତି ମଧ୍ୟ ବ୍ୟକ୍ତ କରାଯାଇଛି। ଦେଶ ବାହାରକୁ ଟୁର୍ନାମେଣ୍ଟ ଯିବା ଦ୍ୱାରା ଅତିରିକ୍ତ ଖର୍ଚ୍ଚର ଚାପ ପଡ଼ିବ ବୋଲି ଆଇସିସି ନିକଟରେ ଅଭିଯୋଗ କରିଛି ଜିଓ ଷ୍ଟାର। ସେହିପରି ହାଇବ୍ରିଡ ମଡେଲରେ ଟୁର୍ନାମେଣ୍ଟ ହେବା ଦ୍ୱାରା ଜିଓ ଷ୍ଟାର ସହ ହୋଇଥିବା ବିଲିୟନ ଡଲାରର ଚୁକ୍ତି ମଧ୍ୟ ଆଇସିସି ହରାଇବାର ସମ୍ଭାବନା ରହିଛି। ତେବେ ଯଦି ଟୁର୍ନାମେଣ୍ଟ ସମ୍ପୂର୍ଣ୍ଣ ଭାବରେ ସ୍ଥାନାନ୍ତରିତ ହୁଏ ତେବେ ପିସିବିକୁ ୩୫ ମିଲିୟନ ଡଲାରର କ୍ଷତି ସହିବାକୁ ହେବ। ଫେବୃଆରୀ ୧୯ରୁ ମାର୍ଚ୍ଚ ୯ ମଧ୍ୟରେ ଏହି ଟୁର୍ନାମେଣ୍ଟ ଶେଷ କରିବାକୁ ହେବ। ଏହାପରେ ସମସ୍ତ ଦଳଙ୍କର ଦ୍ୱିପାକ୍ଷିକ ସିରିଜ୍‌ ନିର୍ଦ୍ଧାରିତ ରହିଛି।