ଭାରତ ସହ ସବୁ ପ୍ରସଙ୍ଗର ସମାଧାନ ପାଇଁ ପାକ୍‌ ପ୍ରସ୍ତୁତ

ଇସ୍‌ଲାମାବାଦ, ୨୮।୨: ଭାରତ ସହ ପାକିସ୍ତାନର ଅସ୍ତ୍ରବିରତି ରାଜିନାମାକୁ ପାକ୍‌ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ ଶନିବାର ସ୍ବାଗତ କରିଛନ୍ତି। ତେବେ ଦ୍ୱିପାକ୍ଷିକ ସମ୍ପର୍କରେ ଅଧିକ ଉନ୍ନତି ଲାଗି ଉପଯୁକ୍ତ ପରିବେଶ ସୃଷ୍ଟି କରିବା ଭାରତର ଦାୟିତ୍ୱ ବୋଲି ସେ କହିଛନ୍ତି। ନିୟନ୍ତ୍ରଣ ରେଖା ଓ ଅନ୍ୟାନ୍ୟ ସେକ୍ଟରରେ ଅସ୍ତ୍ରବିରତି ନିୟମ କଡ଼ାକଡ଼ି ପାଳନ ପାଇଁ ଦୁଇ ଦେଶର ସୈନ୍ୟବାହିନୀ ପକ୍ଷରୁ ଗୁରୁବାର ଘୋଷଣା କରାଯାଇଥିଲା। ଆଲୋଚନା ମାଧ୍ୟମରେ ଭାରତ ସହ ସମସ୍ତ ବକେୟା ପ୍ରସଙ୍ଗର ସମାଧାନ ପାଇଁ ପାକିସ୍ତାନ ପ୍ରସ୍ତୁତ ବୋଲି ଖାନ୍‌ ଟୁଇଟ୍‌ କରିଛନ୍ତି। ଜାତିସଂଘ ସୁରକ୍ଷା ପରିଷଦର ପ୍ରସ୍ତାବ ଅନୁଯାୟୀ ଜମ୍ମୁ-କଶ୍ମୀରବାସୀଙ୍କୁ ସ୍ବନିର୍ଣ୍ଣୟ ଅଧିକାର ଦେବା ଲାଗି ଦୀର୍ଘଦିନର ଦାବି ପୂରଣ ଦିଗରେ ଭାରତ ଆବଶ୍ୟକ ପଦକ୍ଷେପ ନେବାକୁ ସେ ଆହ୍ବାନ ଦେଇଛନ୍ତି। ୨୦୧୯ ଫେବୃୟାରୀ ୨୬ରେ ଭାରତୀୟ ବାୟୁସେନା ବାଲାକୋଟ୍‌ସ୍ଥିତ ଜୈଶ-ଇ-ମହମ୍ମଦ ଆତଙ୍କବାଦୀଙ୍କ ପ୍ରଶିକ୍ଷଣ ଶିବିର ଉପରେ ଏୟାରଷ୍ଟ୍ରାଇକ୍‌ କରିଥିଲା। ଏହାର ଦୁଇବର୍ଷ ପୂର୍ତ୍ତି ଅବସରରେ ଇମ୍ରାନ୍‌ କେତେକ ଟୁଇଟ୍‌ କରିଛନ୍ତି। ପାକିସ୍ତାନ ସବୁବେଳେ ଶାନ୍ତି ଚାହିଁ ଆସିଛି ବୋଲି ସେ କହିଛନ୍ତି।

Share