ତାଲିବାନ ବାଟରେ କଣ୍ଟା ବିଛାଉଛି ପାକିସ୍ତାନ, ଛୋଟ ଜିହାଦି ଗୋଷ୍ଠୀଙ୍କୁ ସମର୍ଥନ…

କାବୁଲ/ଇସଲାମାବାଦ୍‌,୧୪।୧୧: ଆଫଗାନିସ୍ତାନରେ ପାକିସ୍ତାନ ତାଲିବାନ ବାଟରେ କଣ୍ଟା ବିଛାଉଛି। ଦେଶରେ ଥିବା ଛୋଟ ଜିହାଦି ଗୋଷ୍ଠୀଙ୍କୁ ପାକିସ୍ତାନର ଗୋଇନ୍ଦା ସଂସ୍ଥା ଆଇଏସଆଇ ସମର୍ଥନ କରୁଛି। ତାଲିବାନକୁ ବାଧା ଦେବା ପାଇଁ ଏଭଳି କରାଯାଉଥିବା ଏକ ରିପୋର୍ଟରେ ଉଲ୍ଲେଖ କରାଯାଇଛି। ପାକିସ୍ତାନର ଆଇଏସଆଇ ତାଲିବାନ ଏବଂ ଇସଲାମିକ୍‌ ଷ୍ଟେଟ୍‌ ଖୋରାସନ ପ୍ରୋଭିନ୍ସ୍‌ (ଆଇଏସକେପି) ମଧ୍ୟରେ ଦୂରତା ବଢ଼ାଇବା ପାଇଁ ଏଭଳି କରୁଛି।

ବୈଦେଶିକ ନୀତିର ଏକ ନୂତନ ରିପୋର୍ଟରେ କୁହାଯାଇଛି ଯେ ଇସଲାମିକ ଇନଭିଟେଶନ ଆଲାଇନ୍ସ (ଆଇଆଇଏ) ଆଇଏସଆଇ ଦ୍ୱାରା ଆର୍ଥିକ ଅନୁଦାନ ପ୍ରାପ୍ତ ହୋଇଛି ଏବଂ ଏହା ୨୦୨୦ରେ ସୃଷ୍ଟି ହୋଇଛି। ଏକ ବର୍ଷରୁ ଅଧିକ ସମୟ ଧରି ଆମେରିକାର ଗୁପ୍ତଚର ରାଡାରରେ ଏହା ରହିଥିବା ରିପୋର୍ଟ ଦର୍ଶାଯାଇଛି। ସେତେବେଳେ ତାଲିବାନର ବିଜୟ ନିଶ୍ଚିତ କରିବା ଲାଗି ଏହା କାମ କରୁଥିବାବେଳେ ଏବେ ତାଲିବାନକୁ ଦୁର୍ବଳ କରିବା ପାଇଁ ଏହା କାର୍ଯ୍ୟ କରୁଛି।

ମୁଲ୍ଲା ବାରାଦାରଙ୍କ ନେତୃତ୍ୱରେ ଦୋହା ଗୋଷ୍ଠୀ ଏବଂ ଅଧିକ ଚରମପନ୍ଥୀ ହକାନି ଗୋଷ୍ଠୀ ମଧ୍ୟରେ ଏକ ଶକ୍ତି ସଂଗ୍ରାମର ସମ୍ଭାବନା ରହିଛି। ଦୁଇ ଗୋଷ୍ଠୀ ମଧ୍ୟରୁ ଗୋଟିଏ ଆମେରିକାର ନିକଟତର ଏବଂ ଅନ୍ୟଟି ପାକିସ୍ତାନର ନିକଟତର ବୋଲି କୁହାଯାଉଛି।

ଆମେରିକାର ନ୍ୟାଶନାଲ ସୁରକ୍ଷା ଏଜେନ୍ସିସ ପକ୍ଷରୁ କୁହାଯାଇଛି ଯେ, ଆଫଗାନିସ୍ତାନରୁ ଶରଣାର୍ଥୀଙ୍କ ଆଗମନ ଯୋଗୁ ତାଲିବାନ ଚିନ୍ତାଧାରା କେତେକ ଦେଶରେ ବୃଦ୍ଧି ପାଇବାର ଆଶଙ୍କା ରହିଛି। ଶରଣାର୍ଥୀଙ୍କୁ ଢ଼ାଲ କରି ଆଫଗାନିସ୍ତାନରେ ଆମେରିକା ଛାଡିଥିବା ଅସ୍ତ୍ରଶସ୍ତ୍ରର ଯୋଗାଣ ହେବାର ଭୟ ମଧ୍ୟ ରହିଥିବା ଆମେରିକା ସୁରକ୍ଷା ଏଜେନ୍ସି କହିଛି।

Share