ଭାରତ ସହିତ ଛିଡ଼ା ହୋଇଛି ପାକିସ୍ତାନ, କରୋନାକୁ ଦିଆଯିବ ଜବାବ: ଇମ୍ରାନ୍‌…

ନୂଆଦିଲ୍ଲୀ/ଇସଲାମାବାଦ,୨୪।୪: ଦେଶରେ କରୋନା ମହାମାରୀ ସଂକ୍ରମଣ ଯୋଗୁ ଆତଙ୍କ ସୃଷ୍ଟି ହୋଇଛି। ପ୍ରତିଦିନ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବା ସହିତ ମୃତକଙ୍କ ସଂଖ୍ୟା ମଧ୍ୟ ବଢ଼ିଚାଲିଛି। ଏପରିସ୍ଥଳେ ପାକିସ୍ତାନ ଭାରତ ସହିତ ଛିଡ଼ାହୋଇଛି। ପଡ଼ୋଶୀ ଦେଶରେ ଜାରି ରହିଥିବା ମହାମାରୀ ସଙ୍କଟର ମୁକାବିଲା ଲାଗି ଆମକୁ ମିଳିତ ଭାବେ ଲଢ଼େଇ କରିବାକୁ ପଡ଼ିବ ବୋଲି ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାଁ ଟୁଇଟ୍‌ କରି କହିଛନ୍ତି। ମାନବତାର ଶତ୍ରୁ ପାଲଟିଥିବା କରୋନା ମହାମାରୀରୁ ଶୀଘ୍ର ଆକ୍ରାନ୍ତମାନେ ସୁସ୍ଥ ହେବା ଲାଗି ସେ ପ୍ରାର୍ଥନା କରିବା ପାଇଁ ଏବଂ କରୋନା ଉଚିତ ଜବାବ ଦେବାକୁ ଆହ୍ବାନ ଜଣାଇଛନ୍ତି। ସେହିପରି ପାକିସ୍ତାନ ବହିର୍ବ୍ୟାପାର ମନ୍ତ୍ରୀ ଶାହା ମହମ୍ମୁଦ୍‌ କ୍ୟୁରେଶି ଟୁଇଟ୍‌ କରି କହିଛନ୍ତି ଯେ, କରୋନାର ଦ୍ୱିତୀୟ ଲହର ସମୟରେ ଭାରତ ଲୋକଙ୍କ ପାଖରେ ପାକିସ୍ତାନ ଛିଡ଼ା ହୋଇଛି। ଆକ୍ରାନ୍ତ ପରିବାରଙ୍କ ପ୍ରତି ପାକିସ୍ତାନ ସହାନୁଭୁତି ପ୍ରକଟ କରୁଛି। ସାର୍କ ଦେଶ ସମୂହଙ୍କ ସହିତ ମିଳିତ ଭାବେ ପାକିସ୍ତାନ କରୋନାର ମୁକାବିଲା ପାଇଁ ଅଣ୍ଟା ଭିଡ଼ିଥିବା ସେ କହିଛନ୍ତି। ସେହିପରି ବହୁ ପାକିସ୍ତାନ ୟୁଜର ମଧ୍ୟ ଟୁଇଟ୍‌ କରି ଭାରତ ପ୍ରତି ନିଜର ସକାରାତ୍ମକ ମନୋଭାବ ପ୍ରକାଶ କରିଛନ୍ତି।

Share