Categories: ଜାତୀୟ

ନିଜ ସୈନିକଙ୍କୁ ଆତଙ୍କବାଦୀ କରୁଛି ପାକିସ୍ତାନ: ଲୋକସଭା ନିର୍ବାଚନ ପୂର୍ବରୁ ଷଡଯନ୍ତ୍ରର ପର୍ଦ୍ଦାଫାଶ…

ନୂଆଦିଲ୍ଲୀ,୨୫।୧୧ : ଜମ୍ମୁ-କଶ୍ମୀରରେ ଅଶାନ୍ତି ସୃଷ୍ଟି କରିବା ପାଇଁ ପାକିସ୍ତାନ କ୍ରମାଗତ ଭାବରେ କାର୍ଯ୍ୟକଳାପ କରୁଛି, କିନ୍ତୁ ଭାରତୀୟ ସେନା ଯବାନମାନେ ସେମାନଙ୍କ କାର୍ଯ୍ୟକଳାପକୁ ପଣ୍ଡ କରୁଛନ୍ତି। ଭାରତୀୟ ସେନାର କଡା ସୁରକ୍ଷା ବ୍ୟବସ୍ଥାରେ ନିରାଶ ହୋଇ ପାକିସ୍ତାନୀ ଗୁପ୍ତଚର ଏଜେନ୍ସି ଆଇଏସଆଇ ଏକ ନୂତନ ରାସ୍ତା ଆପଣେଇଛି। ଲୋକସଭା ନିର୍ବାଚନ ପୂର୍ବରୁ ପାକିସ୍ତାନ ଏକ ବିପଜ୍ଜନକ ଷଡଯନ୍ତ୍ର ରଚିଛି। ଉପତ୍ୟକାର ଶାନ୍ତିକୁ ନଷ୍ଟ କରିବା ପାଇଁ ଆଇଏସଆଇ ଏହାର ପୂର୍ବତନ ପାକିସ୍ତାନୀ ସୈନିକମାନଙ୍କୁ ଆତଙ୍କବାଦୀ ଭାବରେ ପଠାଉଛି। ଭାରତୀୟ ସେନାର ଉତ୍ତର କମାଣ୍ଡ ଏହା ପ୍ରକାଶ କରିଛନ୍ତି।

ନିକଟରେ ରାଜୌରୀରେ ସୁରକ୍ଷା ବାହିନୀ ଏବଂ ଆତଙ୍କବାଦୀ ମୁହାଁମୁହିଁ ହୋଇଥିଲେ। ଏଥିରେ ଭାରତୀୟ ସେନାର ପାଞ୍ଚଜଣ ସୈନିକ ଶହୀଦ ହୋଇଥିବାବେଳେ ସୁରକ୍ଷା ବାହିନୀ ମଧ୍ୟ ଦୁଇ ଆତଙ୍କବାଦୀଙ୍କୁ ହତ୍ୟା କରିଥିଲେ। ଶହୀଦମାନଙ୍କୁ ଶ୍ରଦ୍ଧାଞ୍ଜଳି ଦେବାକୁ ଆସିଥିବା ନର୍ଥ କମାଣ୍ଡ ଆର୍ମି ମୁଖ୍ୟ ଲ୍ୟୁଟନାଟ ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀ କହିଛନ୍ତି ଭାରତ ସୀମା ଅତିକ୍ରମ କରିଥିବା ଆତଙ୍କବାଦୀଙ୍କ ମଧ୍ୟରେ କିଛି ଅବସରପ୍ରାପ୍ତ ପାକିସ୍ତାନୀ ସୈନିକ ମଧ୍ୟ ଅଛନ୍ତି।

ପଡୋଶୀ ଦେଶ ପାକିସ୍ତାନର ଉଦ୍ଦେଶ୍ୟ ଭଲ ନୁହେଁ। ଆସନ୍ତା ବର୍ଷ ୨୦୨୪ ରେ ହେବାକୁ ଥିବା ଲୋକସଭା ନିର୍ବାଚନ ପୂର୍ବରୁ ଅଧିକ ଆତଙ୍କବାଦୀଙ୍କୁ ଅନୁପ୍ରବେଶ କରିବା ସେମାନଙ୍କର ଉଦ୍ଦେଶ୍ୟ। ଏଥିପାଇଁ ପାକିସ୍ତାନ ବର୍ତ୍ତମାନ ନିଜର ପୂର୍ବ ସୈନିକମାନଙ୍କୁ ଆତଙ୍କବାଦୀ ରୂପେ ପରିଣତ କରୁଛି ଏବଂ ପରେ ସେମାନଙ୍କୁ ସୀମା ଦେଇ ଭାରତ ପଠାଉଛି। ରାଜୌରୀ ଏବଂ ପୁଞ୍ଚରେ ୨୦ ରୁ ୨୫ଆତଙ୍କବାଦୀ ସକ୍ରିୟ ରହିଥିବା ସେ କହିଛନ୍ତି।

ସେ କହିଛନ୍ତି ଦୁଇ ଆତଙ୍କବାଦୀଙ୍କ ମୃତ୍ୟୁ ପାକିସ୍ତାନ ଏବଂ ଆତଙ୍କବାଦୀ ସଂଗଠନକୁ ବହୁତ କ୍ଷତି ପହଞ୍ଚାଇଛି। ପାକିସ୍ତାନ ଏବଂ ଆଫଗାନିସ୍ତାନ ସମେତ ଅନେକ ଦେଶରୁ ତାଲିମ ଗ୍ରହଣ କରିଥିବା ଏହି ଦୁଇ ଆତଙ୍କବାଦୀ ଉପତ୍ୟକାର ଅନେକ ଲୋକଙ୍କୁ ଟାର୍ଗେଟ କରିଥିଲେ, ତେଣୁ ଉଭୟଙ୍କୁ ଏନକାଉଣ୍ଟର କରିବା ସୁରକ୍ଷା ବାହିନୀର ପ୍ରାଥମିକତା ଥିଲା।

 

Share