‘ବନ୍ୟା ପରେ ସମୁଦ୍ର ପରି ଦିଶୁଛି ପାକିସ୍ତାନ’

ଇସଲାମାବାଦ,୭ା୯: ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ଶରିଫ ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିବା ପରେ ବୁଧବାର କହିଛନ୍ତି , ଦେଶର ଅନେକ ଅଞ୍ଚଳ ସମୁଦ୍ରରେ ପରିଣତ ହୋଇଛି। ବାସ୍ତବରେ ବନ୍ୟା ଯୋଗୁ ଦକ୍ଷିଣ ଏସୀୟ ଦେଶର ଏକ ତୃତୀୟାଂଶ ଜଳମଗ୍ନ ହୋଇଛି। ଆହୁରି ୧୮ ଜଣଙ୍କ ମୃତ୍ୟୁ ପରେ ମୋଟ୍‌ ମୃତ୍ୟୁସଂଖ୍ୟା ୧,୩୪୩କୁ ବୃଦ୍ଧି ପାଇଛି। ୨୨୦ନିୟୁତ ଲୋକଙ୍କ ମଧ୍ୟରୁ ୩୩ ନିୟୁତ ଲୋକ ବନ୍ୟା ଦ୍ୱାରା ପ୍ରଭାବିତ ହୋଇଛନ୍ତି। ଏହି ପ୍ରାକୃତିକ ବିପର୍ଯ୍ୟୟ ପାଇଁ ଜଳବାୟୁ ପରିବର୍ତ୍ତନକୁ ଦାୟୀ କରାଯାଉଛି, ଯାହା ହଜାର ହଜାର ଲୋକଙ୍କୁ ଭୂମିହୀନ କରିଦେଇଛି ଏବଂ ୧୦ ବିଲିୟନ ଡଲାର କ୍ଷତି କରିଛି।

ଦକ୍ଷିଣ ସିନ୍ଧ ଗସ୍ତ କରିବା ପରେ ଶେହବାଜ ଗଣମାଧ୍ୟମକୁ କହିଛନ୍ତି, ହୋଇଥିବା କ୍ଷୟକ୍ଷତି ଆପଣ ସହଜରେ ବିଶ୍ୱାସ କରିବେ ନାହିଁ। ସେ କହିଥିଲେ, ‘ଆପଣ ଯୁଆଡ଼େ ଦେଖିବେ ସବୁଆଡ଼େ ପାଣି ’। ଏହା ସମୁଦ୍ର ପରି। ’ ଏହି ଦୁଃଖଦ ଘଟଣାରୁ ମୁକ୍ତି ପାଇବା ପାଇଁ ଆମକୁ କୋଟି କୋଟି ଟଙ୍କା ଦରକାର । ବନ୍ୟା ପୀଡ଼ିତଙ୍କ ପାଇଁ ସରକାର ୭୦ ବିଲିୟନ ପାକିସ୍ତାନୀ ଟଙ୍କା ଦେଇଛନ୍ତି।

Share