Categories: ଖେଳ

ଭାରତଠାରୁ ହାରି ପାକିସ୍ତାନ ବିଦା

ଚେନ୍ନାଇ, ୧୦।୮: ଏସିଆନ ଚାମ୍ପିୟନ୍ସ ଟ୍ରଫି ହକିର ଲିଗ୍‌ ପର୍ଯ୍ୟାୟ ବୁଧବାର ଶେଷ ହୋଇଛି। ଅନ୍ତିମ ଲିଗ୍‌ ମ୍ୟାଚରେ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନକୁ ୪-୦ ଗୋଲରେ ଭାରତ ପରାସ୍ତ କରିଛି। ମ୍ୟାଚରେ ଭାରତ ସମ୍ପୂର୍ଣ୍ଣ ଅଧିପତ୍ୟ ବିସ୍ତାର କରି ଖେଳିଥିଲା। ଅଧିନାୟକ ହରମନପ୍ରୀତ ସିଂ ୧୫ ଓ ୨୩ ମିନିଟରେ ୨ଟି ଏବଂ ଯୁଗରାଜ ସିଂ ୩୬ ଓ ଆକାଶଦୀପ ସିଂ ୫୫ତମ ମିନିଟରେ ଗୋଟିଏ ଲେଖାଏ ଗୋଲ ସ୍କୋର କରିଥିଲେ। ପରାଜୟ ଫଳରେ ୩ ଥର ଚାମ୍ପିୟନ ପାକିସ୍ତାନ ଏଥର ଲିଗ୍‌ ପର୍ଯ୍ୟାୟରୁ ବିଦା ହୋଇଛି। ଭାରତ ସମେତ ମାଲେସିଆ, ଦକ୍ଷିଣ କୋରିଆ ଓ ଜାପାନ ସେମିଫାଇନାଲରେ ପ୍ରବେଶ କରିଛନ୍ତି। ଚାଇନାର ଅଭିଯାନ ମଧ୍ୟ ଲିଗ୍‌ ପର୍ଯ୍ୟାୟରୁ ଶେଷ ହୋଇଛି। ୫ ମ୍ୟାଚରୁ ଭାରତ ୪ ବିଜୟ ଓ ୧ ଡ୍ର ସହ ୧୩ ପଏଣ୍ଟ ପାଇ ଟେବୁଲର ଶୀର୍ଷସ୍ଥାନ ଅଧିକାର କରିଛି। ମାଲେସିଆ ୫ ମ୍ୟାଚରୁ ୧୨ ଏବଂ ଦକ୍ଷିଣ କୋରିଆ ଓ ଜାପାନ ସମାନ ସଂଖ୍ୟକ ମ୍ୟାଚ ଖେଳି ୫ ପଏଣ୍ଟ ଲେଖାଏ ପାଇଛନ୍ତି। ଫଳରେ ମାଲେସିଆ ଦ୍ୱିତୀୟ, କୋରିଆ ତୃତୀୟ ଓ ଜାପାନ ୪ର୍ଥ ସ୍ଥାନ ଅଧିକାର କରିଛି। ପାକିସ୍ତାନ ୫ ମ୍ୟାଚରୁ ୧ ବିଜୟ, ୨ ପରାଜୟ ଓ ୨ ଡ୍ର ସହ ୫ ପଏଣ୍ଟ ପାଇଥିଲେ ମଧ୍ୟ ଗୋଲ ବ୍ୟବଧାନରେ ପଛରେ ପଡ଼ି ଯାଇଛି। ଟୁର୍ନାମେଣ୍ଟ କାର୍ଯ୍ୟସୂଚୀ ଅନୁସାରେ ୧୧ ତାରିଖରେ ହେବାକୁଥିବା ସେମିଫାଇନାଲରେ ଭାରତର ପ୍ରତିଦ୍ୱନ୍ଦ୍ୱୀ ହେଉଛି ଜାପାନ। ସେହିଦିନ ମାଲେସିଆ ଓ କୋରିଆ ମଧ୍ୟରେ ମ୍ୟାଚ ଅନୁଷ୍ଠିତ ହେବ।
ମାଲେସିଆ ବିଜୟୀ
ଅନ୍ୟ ଏକ ସଂଘର୍ଷପୂର୍ଣ୍ଣ ଲିଗ୍‌ ମ୍ୟାଚରେ ମାଲେସିଆ ୧-୦ ଗୋଲରେ ଦକ୍ଷିଣ କୋରିଆକୁ ପରାସ୍ତ କରିଥିଲା। ମାଲେସିଆର ଅଜରାଇ ଅବୁକମଲ ୨୨ତମ ମିନିଟରେ ଦେଇଥିବା ଗୋଲଟି ଶେଷରେ ନିର୍ଣ୍ଣାୟକ ହୋଇଥିଲା। ପ୍ରଥମ କ୍ୱାର୍ଟରରେ ଉଭୟ ଦଳ ସ୍ଲୋ ଖେଳିଥିଲେ। ଫଳରେ ଗୋଲ ହୋଇ ନ ଥିଲା। ଦ୍ୱିତୀୟ କ୍ୱାର୍ଟରରେ ଅଜରାଇ ଫିଲ୍ଡ ଗୋଲ ଦେଇଥିବାବେଳେ ପରବର୍ତ୍ତୀ ୨ କ୍ୱାର୍ଟର ମଧ୍ୟ ଗୋଲଶୂନ୍ୟ ରହିଥିଲା।
ଜାପାନର ପ୍ରଥମ ବିଜୟ
ଜାପାନ ଏହାର ଶେଷ ଲିଗ୍‌ ମ୍ୟାଚରେ ହିଁ ବିଜୟ ସ୍ବାଦ ପାଇଛି। ବୁଧବାର ଅନୁଷ୍ଠିତ ମ୍ୟାଚରେ ଏହି ଦଳ ୨-୧ ଗୋଲରେ ଚାଇନାକୁ ପରାସ୍ତ କରିଛି। ମ୍ୟାଚର ପ୍ରଥମ କ୍ୱାର୍ଟରରେ ଅର୍ଥାତ୍‌ ୮ମ ମିନିଟରେ ପେନାଲ୍ଟି କର୍ନରରୁ ପ୍ରଥମ ଗୋଲଟି ଦେଇଥିଲେ ଜାପାନର ୟାମାଦା ଶୋତା। ପ୍ରଥମାର୍ଦ୍ଧ ଶେଷ ବେଳକୁ ଜାପାନ ୧-୦ ଗୋଲରେ ଅଗ୍ରଣୀ ରହିଥିଲା। ୫୪ତମ ମିନିଟରେ ଫୁକୁଦା କେଣ୍ଟାରୋ ପେନାଲ୍ଟି କର୍ନରରୁ ଏକ ଗୋଲ ଦେଇ ଜାପାନର ଅଗ୍ରଣୀ ବ୍ୟବଧାନକୁ ୨-୦ରେ ପହଞ୍ଚାଇଥିଲେ। ୫୭ତମ ମିନିଟରେ ଚାଇନାକୁ ଏକ ପେନାଲ୍ଟି କର୍ନର ମିଳିଥିଲା। ଏହାକୁ ଗୋଲରେ ପରିଣତ କରିଥିଲେ ଆଓ ଶୁଝୁ। ଚାଇନା ଗୋଟିଏ ହେଲେ ମ୍ୟାଚ ଜିତିପାରି ନ ଥିଲା। କୋରିଆ ବିପକ୍ଷ ମ୍ୟାଚକୁ ୧-୧ରେ ଡ୍ର ରଖିଥିବାରୁ ଗୋଟିଏ ପଏଣ୍ଟ ପାଇଥିଲା।

ପଏଣ୍ଟ ଟେବୁଲ
ଦଳ ମ୍ୟାଚ ବିଜୟ ଡ୍ର ପରାଜୟ ସ.ଗୋଲ ବି.ଗୋଲ ବ୍ୟବଧାନ ପଏଣ୍ଟ
ଭାରତ ୫ ୪ ୧ ୦ ୨୦ ୫ +୧୫ ୧୩
ମାଲେସିଆ ୫ ୪ ୦ ୧ ୧୨ ୮ +୪ ୧୨
ଦ.କୋରିଆ ୫ ୧ ୨ ୨ ୬ ୭ -୧ ୫
ଜାପାନ ୫ ୧ ୨ ୨ ୮ ୧୦ -୨ ୫
ପାକିସ୍ତାନ ୫ ୧ ୨ ୨ ୭ ୧୨ -୫ ୫
ଚାଇନା ୫ ୦ ୧ ୪ ୬ ୧୭ -୧୧ ୧

Share