Categories: ଖେଳ

ବିଶ୍ୱକପ୍‌ ବର୍ଜନ କରିପାରେ ପାକିସ୍ତାନ

କରାଚୀ, ୧୬ା୫: ପାକିସ୍ତାନ ଯଦି ଏସିଆ କପ୍‌ ଆୟୋଜନ ଅଧିକାର ହରାଏ ତେବେ ପାକିସ୍ତାନ ଚଳିତ ବର୍ଷ ଭାରତରେ ହେବାକୁଥିବା ଦିନିକିଆ କ୍ରିକେଟ ବିଶ୍ୱକପ୍‌କୁ ବର୍ଜନ କରିପାରେ ବୋଲି ଧମକ ଦେଇ କହିଛନ୍ତି ପାକିସ୍ତାନ କ୍ରିକେଟ ବୋର୍ଡ(ପିସିବି) ଚେୟାରମ୍ୟାନ ନଜାମ ସେଠୀ। ଭାରତ ଓ ପାକିସ୍ତାନ ମଧ୍ୟରେ ଦଶନ୍ଧିରୁ ଅଧିକ ସମୟ ଧରି ରାଜନୈତିକ ସମ୍ପର୍କ ଭଲ ନାହିଁ। ଏହାଦ୍ୱାରା ଦ୍ୱିପାକ୍ଷିକ କ୍ରିକେଟ ବାଧାପ୍ରାପ୍ତ ହୋଇଛି। ବର୍ତ୍ତମାନ ଭାରତ ଓ ପାକିସ୍ତାନ ଏକାଧିକ ଦଳକୁ ନେଇ ଆୟୋଜିତ ଇଭେଣ୍ଟଗୁଡ଼ିକରେ ସେମାନଙ୍କ ମ୍ୟାଚ୍‌ ନିରପେକ୍ଷ ଭେନ୍ୟୁରେ ଖେଳୁଛନ୍ତି। ଆସନ୍ତା ସେପ୍ଟେମ୍ବରରେ ଏସିଆ କପ୍‌ ଖେଳିବା ପାଇଁ ପାକିସ୍ତାନ ଯିବା ଲାଗି ଭାରତ ସୁରକ୍ଷାଗତ କାରଣ ଦର୍ଶାଇ ମନାକରି ଦେଇଛି। ଏ ନେଇ ପିସିବି ଏକ ‘ହାଇବ୍ରିଡ୍‌’ ପ୍ରସ୍ତାବ ଦେଇଥିଲା। କେବଳ ଭାରତ-ପାକିସ୍ତାନ ମ୍ୟାଚ୍‌ଗୁଡ଼ିକ ସଂଯୁକ୍ତ ଆରବ ଏମିରେଟ୍ସ(ୟୁଏଇ)ରେ ଏବଂ ଅନ୍ୟଗୁଡ଼ିକ ପାକିସ୍ତାନରେ ଖେଳାଯିବା ଲାଗି ପାକିସ୍ତାନ ପ୍ରସ୍ତାବ ଦେଇଥିଲା। ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ) କିନ୍ତୁ ଏ ନେଇ ଆନୁଷ୍ଠାନିକ ଜବାବ ଦେଇନାହିଁ। ସେଠୀ କହିଛନ୍ତି, ଟୁର୍ନାମେଣ୍ଟ ପାକିସ୍ତାନରେ ନ କରି ଅନ୍ୟତ୍ର କରିବା ଲାଗି ଭାରତ ଚାହୁଁଛି।

Share