ପାକିସ୍ତାନ ସୈନ୍ୟ ବିଭାଗ ହେବାରେ ଲାଗିଛି ମେଡ୍‌ ଇନ୍‌ ଚାଇନା…

ଇସଲାମାବାଦ, ୨୭।୪ : ପାକିସ୍ତାନ ସୈନ୍ୟ ବାହିନୀ ମେଡ୍‌ ଇନ୍‌ ଚାଇନା ହେବାରେ ଲାଗିଛି। ୨୦୧୭ରୁ ୨୦୨୧ ମଧ୍ୟରେ ଯୁଦ୍ଧ ବିମାନ, ଯୁଦ୍ଧ ଜାହାଜ, ବୁଡ଼ାଜାହାଜ ଏବଂ କ୍ଷେପଣାସ୍ତ୍ର ସମେତ ପାକିସ୍ତାନର ପ୍ରମୁଖ ଅସ୍ତ୍ରଶସ୍ତ୍ର ଯୋଗାଣକାରୀ ଦେଶ ଭାବରେ ଚାଇନା ନିଜର ସ୍ଥିତିକୁ ସୁଦୃଢ଼ କରିବାରେ ଲାଗିଛି। ସ୍ବିଡେନର ଷ୍ଟକହୋମ ଅନ୍ତର୍ଜାତୀୟ ଶାନ୍ତି ଅନୁସନ୍ଧାନ ପ୍ରତିଷ୍ଠାନ (ଏସଆଇପିଆରଆଇ) ଦ୍ୱାରା ପ୍ରକାଶିତ ଏକ ରିପୋର୍ଟରେ ଏହା ପ୍ରକାଶ ପାଇଛି।୨୦୧୭ରୁ ୨୦୨୧ ମଧ୍ୟରେ ବେଜିଂ ଇସଲାମାବାଦର ପ୍ରମୁଖ ଅସ୍ତ୍ରଶସ୍ତ୍ରର ୭୨ ପ୍ରତିଶତ ପୂରଣ କରିଛି।

ଅପରପକ୍ଷେ, ଚାଇନା ଦ୍ୱାରା ରପ୍ତାନି ହୋଇଥିବା ସମସ୍ତ ପ୍ରମୁଖ ଅସ୍ତ୍ରଶସ୍ତ୍ରର ୪୭ ପ୍ରତିଶତ ଏହି ସମୟ ମଧ୍ୟରେ ପାକିସ୍ତାନକୁ ଦିଆଯାଇଥିଲା । ୨୦୧୨-୧୬ ମଧ୍ୟରେ ପାକିସ୍ତାନ ୬୭ ପ୍ରତିଶତ ଅସ୍ତ୍ରଶସ୍ତ୍ର ଚାଇନାରୁ ଆମଦାନୀ କରିଥିଲା। ଏହା ୧୦୦୭-୧୧ ମଧ୍ୟରେ ମାତ୍ର ୩୯ ପ୍ରତିଶତ ଥିଲା।

ଚାଇନା ପାକିସ୍ତାନ ଯୁଦ୍ଧ ବିମାନ ସହିତ ବିଭିନ୍ନ ପ୍ରକାରର ଗାଇଡେଡ ବୋମା ଏବଂ କ୍ଷେପଣାସ୍ତ୍ର, ଉନ୍ନତ ଦୂରଗାମୀ ଏୟାର-ଟୁ-ଏୟାର କ୍ଷେପଣାସ୍ତ୍ର ଯୋଗାଉଛି। ଚାଇନା ସହିତ ପାକିସ୍ତାନ ୨୦୧୭-୨୧ ମଧ୍ୟରେ ସ୍ବିଡେନରୁ ୬.୪ ପ୍ରତିଶତ ଏବଂ ରୁଷିଆଠାରୁ ୫.୬ ପ୍ରତିଶତ ଅସ୍ତ୍ରଶସ୍ତ୍ର କିଣିଛି।

ଚାଇନାର ଜଣେ ବିଶେଷଜ୍ଞ କହିଛନ୍ତି ଯେ କୌଣସି ଦେଶରୁ ଅସ୍ତ୍ରଶସ୍ତ୍ର କିଣିବା ପାକିସ୍ତାନର ଅଧିକାର। ଚେଙ୍ଗଡୁ ଇନଷ୍ଟିଚ୍ୟୁଟ ଅଫ ୱାଲର୍‌ଡ ଆଫେୟାର୍ସର ମୁଖ୍ୟ ଲଙ୍ଗ ଜିଙ୍ଗଚୁନ କହିଛନ୍ତି, ଏକ ସାର୍ବଭୌମ ଦେଶ ଭାବରେ ପାକିସ୍ତାନ ଚାଇନା କିମ୍ବା ଆମେରିକା ସମେତ ଯେ କୌଣସି ଦେଶରୁ ଅସ୍ତ୍ରଶସ୍ତ୍ର କିଣି ପାରିବ।

Share