ପ୍ରବଳ ବର୍ଷା, ମୃତ୍ୟୁସଂଖ୍ୟା ୭୭କୁ ବୃଦ୍ଧି

ଇସଲାମାବାଦ,୭ା୭: ପାକିସ୍ତାନରେ ପ୍ରବଳ ବର୍ଷାରେ ବର୍ତ୍ତମାନ ସୁଦ୍ଧା ୭୭ ଜଣଙ୍କର ମୃତ୍ୟୁ ହୋଇସାରିଲାଣି। କେବଳ ବେଲୁଚିସ୍ତାନରେ ବର୍ଷା ଯୋଗୁ ୩୯ ଜଣଙ୍କର ମୃତ୍ୟୁ ହୋଇଛି। ଦେଶର ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଶେରି ରେହମାନ ବର୍ଷା କାରଣରୁ ମୃତ୍ୟୁ ଏକ ଜାତୀୟ ଦୁଃଖଦ ଘଟଣା ବୋଲି କହିଛନ୍ତି। ପାକିସ୍ତାନରେ ପ୍ରବଳ ବର୍ଷା ଯୋଗୁ ଶହ ଶହ ଘର ନଷ୍ଟ ହୋଇଯାଇଥିଲା। ଦୁର୍ଗମ ଅଞ୍ଚଳରେ ଉଦ୍ଧାର କାର୍ଯ୍ୟରେ ବାଧା ସୃଷ୍ଟି ହୋଇଛି।

ଏକ ରିପୋର୍ଟ ଅନୁଯାୟୀ, ବର୍ଷାରେ ମୃତ୍ୟୁବରଣ କରିଥିବା ଲୋକଙ୍କ ମଧ୍ୟରେ ଶିଶୁ, ପୁରୁଷ ଏବଂ ମହିଳା ଅଛନ୍ତି। ଜାତୀୟ ଏବଂ ପ୍ରାଦେଶିକ ବିପର୍ଯ୍ୟୟ ପରିଚାଳନା ଅଧିକାରୀଙ୍କ ସହାୟତାରେ ସରକାର ବର୍ଷା ହେତୁ ଦୁଃଖଦ ସମୟରେ ସ୍ଥାନୀୟ ଲୋକଙ୍କ ନିକଟରେ ପହଞ୍ଚିବାକୁ ଚେଷ୍ଟା କରୁଛନ୍ତି। ସେ କହିଛନ୍ତି, ଜଳସ୍ତର ଅଧିକ ଏବଂ ଲୋକମାନେ ସାବଧାନ ହେବା ଆବଶ୍ୟକ। କାରଣ ମୌସୁମୀର ଢାଞ୍ଚା ବଦଳୁଛି। ବର୍ତ୍ତମାନ ସମଗ୍ର ପାକିସ୍ତାନରେ ବୃଷ୍ଟିପାତ ହାରାହାରି ବୃଷ୍ଟିପାତ ତୁଳନାରେ ୮୭ ପ୍ରତିଶତ ଅଧିକ।

ମନ୍ତ୍ରୀ କହିଛନ୍ତି, ଜାତୀୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ (NDMA) ଜାତୀୟ ମୌସୁମୀ ନେଇ ଏକ ଜରୁରିକାଳୀନ ଯୋଜନା ପ୍ରସ୍ତୁତ କରିଛି। ଏଥିସହ ଲୋକଙ୍କୁ ସତର୍କ ରହିବାକୁ ନିବେଦନ କରିଛନ୍ତି। ଯାହା ଦ୍ୱାରା ଅଧିକ ଜୀବନ ଏବଂ ସମ୍ପତ୍ତି ନଷ୍ଟ ହେବନାହିଁ। ମନ୍ତ୍ରୀ କହିଛନ୍ତି, ମୃତ୍ୟୁକୁ ରୋକିବା ପାଇଁ ଆମକୁ ଅଧିକ ସତର୍କ ହେବାକୁ ପଡ଼ିବ। କାରଣ ଜଳବାୟୁ ପରିବର୍ତ୍ତନ ଯୋଗୁ ହିଁ ଏସବୁ ବିନାଶ ଘଟୁଛି।

Share