ପାକିସ୍ତାନର ବଡ ବଡ ନେତାଙ୍କ ନାଁରେ ରହିଛି ଆପରାଧିକ ମାମଲା, ଅପରାଧର ଚିଠା ଖୋଲିବ ଏନଏବି

ଇସଲାମବାଦ, ୧୬।୯: ପାକିସ୍ତାନ ମୁସଲିମ ଲିଗ-ନୱାଜ (ପିଏମଏଲ-ଏନ) ମୁଖ୍ୟ ନୱାଜ ସରିଫ ଅକ୍ଟୋବର ୨୧ରେ ଇଂଲଣ୍ଡରୁ ନିଜ ଦେଶକୁ ଫେରିବେ। ସ୍ବଦେଶକୁ ଫେରିବା ସହ ଆଗାମୀ ନିର୍ବାଚନ ପାଇଁ ହେବାକୁ ଥିବା ରାଜନୈତିକ କାର୍ଯ୍ୟକ୍ରମର ନେତୃତ୍ୱ ନେବେ। କିନ୍ତୁ ପାକିସ୍ତାନ ଫେରିବା ତାଙ୍କ ପାଇଁ ଅଡୁଆ ହୋଇପାରେ। କାରଣ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ଏନଏବି ଏବେ ପୂର୍ବତନ ରାଷ୍ଟ୍ରପତି ଆସିଫ ଅଲି ଜରଦାରୀ, ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ସରିଫ, ଶେହବାଜ ସରିଫ, ୟୁସୁଫ ରଜା ଗିଲାନିଙ୍କ ସମେତ ବହୁ ବଡ ନେତାଙ୍କ ଆପରାଧିକ ମାମଲା ଚିଠା ପୁନଃ ଖୋଲିବାକୁ ଯାଉଛି।

ଏହି ନେତାମାନେ ତୋସାଖାନ ମାମଲା ସହ ଫିଙ୍କ୍‌ ରେସିଡେନ୍ସି ମାମଲାରେ ମଧ୍ୟ ତଦନ୍ତ ଘେରକୁ ଆସିପାରନ୍ତି। ପୂର୍ବତନ ପ୍ରଧାନମନ୍ତ୍ରୀ ସହିଦ ଖକାନ ଅବ୍ବାସିଙ୍କ ଏଲଏନଜି ମାମଲା ସ୍ପେଶାଲ ଜଜ ସେଣ୍ଟ୍ରାଲରୁ ଆକାଉଣ୍ଟବିଲିଟି କୋର୍ଟକୁ ସ୍ଥାନାନ୍ତର କରାଯିବ। ସେହିଭଳି ପୂର୍ବତନ ଅର୍ଥମନ୍ତ୍ରୀ ଶୌକତ ତରିନଙ୍କ ବିରୋଧରେ ଆପରାଧିକ ମାମଲାର ତଦନ୍ତ ପୁଣି ଆରମ୍ଭ ହେବ। ସେହିପରି ପାକିସ୍ତାନ ପିପୁଲ୍ସ ପାର୍ଟିର ସିନେଟର ସଲିମ ମାଣ୍ଡଭିୱାଲାଙ୍କ ବିରୋଧରେ କିଡନୀ ହିଲ ମାମଲା ଓ ଇଶାକ ଦାରଙ୍କ ବିରୋଧରେ ଆୟ ବର୍ହିଭୂତ ସମ୍ପତ୍ତି ମାମଲା ପୁଣି ଯାଞ୍ଚ କରିବ ନ୍ୟାଶନାଲ ଆକାଉଣ୍ଟବେଲିଟି ବ୍ୟୁରୋ (ଏନଏବି)।

ପାକିସ୍ତାନ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଓମର ଅଟ୍ଟା ବନ୍ଦିୟାଲଙ୍କ ନେତୃତ୍ୱରେ ତିନିଜଣିଆ ବେଞ୍ଚ ତେହେରିକ-ଇ-ଇନସାଫର ଅଧ୍ୟକ୍ଷଙ୍କ ଆବେଦନକୁ ଅନୁମୋଦନ କରିଛନ୍ତି। ଦେଶର ବଡ ବଡ ନେତାଙ୍କ ବିରୋଧରେ ଚାଲିଥିବା ମାମଲାର ପୁନଃ ତଦନ୍ତ କରିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ସେହିପରି ଏନଏବିକୁ ୫୦୦ମିଲିୟନରୁ କମ୍‌ ଦୁର୍ନୀତି ମାମଲାର ତଦନ୍ତ କରିବାକୁ ମଧ୍ୟ ଅନୁମତି ଦିଆଯାଇଛି।

Share