Categories: ଖେଳ

ପାକିସ୍ତାନର ମହାବିଜୟ

କଲମ୍ବୋ,୨୦।୭: ବୁଧବାର ଗଲ ଟେଷ୍ଟ ମ୍ୟାଚରେ ଶ୍ରୀଲଙ୍କାକୁ ପରାସ୍ତ କରି ପାକିସ୍ତାନ ଏକ ଐତିହାସିକ ବିଜୟ ହାସଲ କରିଛି। ମ୍ୟାଚ୍‌ର ଶେଷ ଦିନରେ ଶ୍ରୀଲଙ୍କା ଦେଇଥିବା ୩୪୨ ରନ୍‌ର ଟାର୍ଗେଟକୁ ପିଛା କରି ୪ ଉଇକେଟ୍‌ରେ ମ୍ୟାଚ୍‌ ଜିତିଯାଇଛି ପାକିସ୍ତାନ।
୨୨ ବର୍ଷୀୟ ଅବଦୁଲ୍ଲା ଶାଫିକ ପାକିସ୍ତାନର ବିଜୟରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ଚତୁର୍ଥ ଇନିଂସରେ ଓପନର୍‌ ଶାଫିକ ୧୬୦ ରନର ଅପରାଜିତ ଇନିଂସ ଖେଳିଥିଲେ। ଏହି ସମୟରେ ସେ ରେକର୍ଡ ୪୦୮ଟି ବଲର ସମ୍ମୁଖୀନ ହୋଇଥିଲେ। ୧୪୫ ବର୍ଷର ଟେଷ୍ଟ ଇତିହାସରେ ପଞ୍ଚମ ଥର ପାଇଁ ଜଣେ ବ୍ୟାଟ୍ସମ୍ୟାନ ଚତୁର୍ଥ ଇନିଂସରେ ୪୦୦ରୁ ଅଧିକ ବଲ୍‌ ଖେଳିଛନ୍ତି। ତାଙ୍କ ପୂର୍ବରୁ ଇଂଲଣ୍ଡର ମାଇକ ଆଥର୍ଟନ ଏବଂ ହର୍ବର୍ଟ ସଟକ୍ଲିଫ, ଭାରତର ସୁନୀଲ ଗାଭାସ୍କର ଏବଂ ପାକିସ୍ତାନର ବାବର ଆଜାମ ଚତୁର୍ଥ ଇନିଂସରେ ଏତେ ସଂଖ୍ୟକ ବଲ ଖେଳିଥିଲେ।
ଗଲରେ ଖେଳାଯାଇଥିବା ପ୍ରଥମ ଟେଷ୍ଟ ମ୍ୟାଚ୍‌ରେ ପାକିସ୍ତାନକୁ ଜିତିବା ପାଇଁ ଆୟୋଜକ ଶ୍ରୀଲଙ୍କା ୩୪୨ ରନ୍‌ର ଲକ୍ଷ୍ୟ ଧାର୍ଯ୍ୟ କରିଥିଲା। ଅସମ୍ଭବକୁ ସମ୍ଭବ କରିବା ଭଳି ଏହି ସ୍କୋରକୁ ପିଛା କରିବା ପାକିସ୍ତାନ ପାଇଁ ଏକ ଚ୍ୟାଲେଞ୍ଜ ଥିଲା। କିନ୍ତୁ ପାକିସ୍ତାନ ହାର ମାନି ନ ଥିଲା। ଦଳ ୬ଟି ଉଇକେଟ ହରାଇ ୧୨୭.୨ ଓଭରରେ ୩୪୪ ରନ ସଂଗ୍ରହ କରିଥିଲା।

Share