ପାକିସ୍ତାନ ଉପରେ ୪୨,୭୪୫ ଶହ କୋଟିରୁ ଅଧିକ ଋଣ ବୋଝ…

ଇସଲାମାବାଦ୍‌, ୧୮।୪ : ରାଜନୈତିକ ସଙ୍କଟର ସମ୍ମୁଖୀନ ହୋଇଥିବା ପାକିସ୍ତାନ ଉପରେ ଋଣ ବୋଝ ବଢ଼ିବାରେ ଲାଗିଛି। ଏବେ ପାକିସ୍ତାନର ମୋଟ ଋଣ ପରିମାଣ ୪୨,୭୪୫ ଶହ କୋଟି ଟଙ୍କାରେ ପହଞ୍ଚିଛି। ଏହା ସହିତ ପାକିସ୍ତାନର ନୂତନ ସରକାର ପୁଣି ଶହେ କୋଟି ଡଲାର ଋଣ ନେବା ପାଇଁ ଆଇଏମ୍‌ଏଫ୍‌ ସହିତ ଆଲୋଚନା କରୁଛନ୍ତି।

ପାକିସ୍ତାନର ମୋଟ ଋଣ ଜିଡିପିର ୫୫ ପ୍ରତିଶରେ ପହଞ୍ଚିଛି। ଡିସେମ୍ବର ୨୦୨୧ ସୁଦ୍ଧା ପାକିସ୍ତାନର ମୋଟ ସରକାରୀ ଋଣ ୪୨,୭୪୫ ଶହ କୋଟି ଟଙ୍କାରେ ପହଞ୍ଚିଥିଲା। ସେଥିରେ ଘରୋଇ ଋଣ ପରିମାଣ ୨୬,୭୪୫ ଶହ କୋଟି ଥିବାବେଳେ ବାହ୍ୟ ଋଣ ୧୫,୯୫୦ ଶହ କୋଟି ଟଙ୍କା ରହିଛି।

ପାକିସ୍ତାନ ଅର୍ଥ ମନ୍ତ୍ରଣାଳୟ ଦ୍ୱାରା ପ୍ରକାଶିତ ତଥ୍ୟ ଅନୁଯାୟୀ, ଜୁନ ୨୦୨୧ ରେ ଦେଶର ମୋଟ ସରକାରୀ ଋଣ ୩୯,୮୫୯ ଶହ କୋଟିକୁ ବୃଦ୍ଧି ପାଇଥିଲା। ଏହାପୂର୍ବରୁ ଜୁନ ୨୦୨୦ ରେ ଏହା ୩୬,୩୯୯ ଶହ କୋଟି ଥିଲା। ଏଥି ସହିତ, ଜୁନ ୨୦୧୯ରେ, ଏହା ୩୨,୭୦୮ ଶହ କୋଟି ଥିଲା। ଜୁନ ୨୦୨୧ରେ ଋଣ ପରିମାଣ ପାକିସ୍ତାନର ମୋଟ ଘରୋଇ ଉତ୍ପାଦ (ଜିଡିପି)ର ୫୫.୧ ପ୍ରତିଶତ ଛୁଇଁଥିଲା।

ଅର୍ଥନୀତିଜ୍ଞମାନେ କହିଛନ୍ତି ଯେ ପାକିସ୍ତାନକୁ ଋଣ ବୋଝରୁ ମୁକ୍ତ କରିବା ପାଇଁ ସରକାରଙ୍କୁ ବିଭିନ୍ନ ବିକାଶମୂଳକ ଖର୍ଚ୍ଚ ହ୍ରାସ କରିବାକୁ ପଡ଼ିବ। ଏହା ବ୍ୟତୀତ ରପ୍ତାନିକୁ ବୃଦ୍ଧି କରିବାକୁ ପଡିବ ଏବଂ ଆମଦାନୀ ହ୍ରାସ କରିବାକୁ ପଡିବ। ସେହିପରି ନିଜସ୍ବ ଆୟର ଉତ୍ସ ସୃଷ୍ଟି କରିବା ଉପରେ ଗୁରୁତ୍ୱ ଦେବାକୁ ପଡ଼ିବ। ପାକିସ୍ତାନର ଅର୍ଥନୀତିଜ୍ଞମାନେ କହିଛନ୍ତି ଯେ ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି ଉପରେ ନିର୍ଭରଶୀଳତା ହ୍ରାସ କରି ପାଣ୍ଠି ସଂଗ୍ରହ ପାଇଁ ଅନ୍ୟ ଉପାୟ ଖୋଜିବାକୁ ସରକାର ଚେଷ୍ଟା କରିବା ଉଚିତ। ଜଳ ବିଦ୍ୟୁତ୍‌ ଶକ୍ତି ଏବଂ ଖଣିଜ ସମ୍ପଦ ମାଧ୍ୟମରେ ଦେଶ ପାଇଁ ଅଧିକ ଆର୍ଥିକ ସମ୍ବଳ ସୃଷ୍ଟି କରିବା ଏବଂ ମହଙ୍ଗା ବିଦେଶୀ ଋଣ ଉପରେ ନିର୍ଭରଶୀଳତା ହ୍ରାସ କରିବାକୁ ସେମାନେ ପରାମର୍ଶ ଦେଇଛନ୍ତି। ଉପଲବ୍ଧ ଆର୍ଥିକ ସମ୍ବଳର ଉପଯୁକ୍ତ ଉପଯୋଗ, ଦୁର୍ନୀତି ରୋକିବା ଏବଂ ଉତ୍ତମ ଶାସନକୁ ପ୍ରୋତ୍ସାହିତ କରିବାକୁ ସେମାନେ କହିଛନ୍ତି।

ପାକିସ୍ତାନର ନୂତନ ସରକାର ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (ଆଇଏମଏଫ) ର ଅଧିକାରୀଙ୍କ ମଧ୍ୟରେ ଆଲୋଚନା ଆରମ୍ଭ କରିବାକୁ ନିଷ୍ପତ୍ତି ନେଇଛନ୍ତି। ୱାଶିଂଟନରେ ନୂତନ ସରକାରଙ୍କ ଆଇଏମଏଫ ଅଧିକାରୀଙ୍କ ସହ ଆଲୋଚନା ଆରମ୍ଭ। ଆଇଏମଏଫ ପାକିସ୍ତାନକୁ ଏକ ଶହେ କୋଟି ଡଲାର କିସ୍ତି ଦେବାକୁ ନିଷ୍ପତ୍ତି ନେବ। ଏହା ସହିତ ଆଇଏମଏଫ ନୂତନ ସରକାରଙ୍କ ଚିନ୍ତାଧାରା ଉପରେ ମଧ୍ୟ ଆଲୋଚନା କରିବ। ଇସଲାମାବାଦର ଗୁରୁତ୍ୱପୂର୍ଣ୍ଣ ବ୍ୟକ୍ତିତ୍ୱ ଏହି ଆଲୋଚନାରେ ଅଂଶଗ୍ରହଣ କରିବେ ବୋଲି କୁହାଯାଉଛି।

Share