ଇସ୍ଲାମାବାଦ୍,୪।୨: ପାକିସ୍ତାନ ପେସର ମହମ୍ମଦ ହାସନେନ ଅନ୍ତର୍ଜାତୀୟ ଓ ଘରୋଇ କ୍ରିକେଟରେ ବୋଲିଂ କରିବାରୁ ବାସନ୍ଦ ହୋଇଛନ୍ତି। ଲାହୋରସ୍ଥିତ ଆଇସିସି ଆକ୍ରେଡିଟେଡ୍ ଟେଷ୍ଟିଂ ସେଣ୍ଟରରେ ତାଙ୍କ ବୋଲିଂ ଷ୍ଟାଇଲ୍ ଅସିଦ୍ଧ ଥିବା ଜଣାପଡ଼ିଛି। ହାସନେନଙ୍କ ବୋଲିଂ ଆକ୍ଶନ ପରୀକ୍ଷା ପରେ ପାକିସ୍ତାନ କ୍ରିକେଟ ବୋର୍ଡ (ପସିବି) ପକ୍ଷରୁ ଏକ ବିବୃତି ଜାରି କରାଯାଇଛି। ଏହା ଅନୁଯାୟୀ, ହାସନେନ ଚଳିତ ପାକିସ୍ତାନ ସୁପର ଲିଗ୍ (ପିଏସ୍ଏଲ)ରେ ଖେଳିପାରିବେ ନାହିଁ।
“ମହମ୍ମଦ ହାସନେନଙ୍କ ବୋଲିଂ ଆସେସମେଣ୍ଟ ଟେଷ୍ଟ ସମ୍ପର୍କରେ ପିସିବିକୁ ଆନୁଷ୍ଠାନିକ ଓ ବିସ୍ତୃତ ରିପୋର୍ଟ ପଠାଇଛି ଅଷ୍ଟ୍ରେଲିଆ କ୍ରିକେଟ (ସିଏ)। ଗୁଡ୍ ଲେନ୍ଥ, ଫୁଲ ଲେନ୍ଥ, ସ୍ଲୋ, ବାଉନ୍ସର ବଲ ପକାଇଲା ବେଳେ ତାଙ୍କ କହୁଣୀ ଧାର୍ଯ୍ୟ ୧୫ ଡିଗ୍ରୀ ନିୟମ ଭଙ୍ଗ କରୁଥିବା ରିପୋର୍ଟରେ ଉଲ୍ଲେଖ କରାଯାଇଛି” ବୋଲି ପିସିବି ଅଧିକାରୀ କହିଛନ୍ତି।
ପିସିବି ଏହାର ବୋଲିଂ ବିଶେଷଜ୍ଞଙ୍କ ସହ ରିପୋର୍ଟ ଉପରେ ଆଲୋଚନା କରିଛି। ଖୁବ ଶୀଘ୍ର ଏହାର ସମାଧାନ କରାଯିବ ବୋଲି ଅଧିକାରୀ କହିଛନ୍ତି। ପିସିବି ଏବେ ନୂଆ ବୋଲିଂ ପରାମର୍ଶଦାତା ନିଯୁକ୍ତ କରିବ, ଯିଏକି ହାସନେନଙ୍କ ବୋଲିଂ ଶୈଳୀକୁ ସୁଧାରି ପାରିବେ। ଉଲ୍ଲେଖଯୋଗ୍ୟ, ଘଣ୍ଟା ପ୍ରତି ୧୫୦ କିମି ବେଗରେ ବୋଲିଂ କରି ଚର୍ଚ୍ଚକୁ ଆସୁଥିବା ହାସନେନ ଅନ୍ତର୍ଜାତୀୟ ସ୍ତରରେ ୮ ଦିନିକିଆ, ୧୮ ଟି୨୦ ଖେଳିଛନ୍ତି। ୨୧ ବର୍ଷୀୟ ପେସରଙ୍କ ପାଖରେ ଏପର୍ଯ୍ୟନ୍ତ ୨୯ ଉଇକେଟ ରହିଛି।