Categories: ଖେଳ

ପାକିସ୍ତାନ ଖେଳାଳିଙ୍କୁ ଜରିମାନା

ବେଙ୍ଗାଲୁରୁ, ୫ା୧୧: ୨୦୨୩ କ୍ରିକେଟ ବିଶ୍ୱକପ୍‌ର ନ୍ୟୁଜିଲାଣ୍ଡ ବିପକ୍ଷ ଲିଗ୍‌ ମ୍ୟାଚ୍‌ରେ ସ୍ଲୋ ଓଭର-ରେଟ୍‌ ବୋଲିଂ ପାଇଁ ପାକିସ୍ତାନ ଖେଳାଳିଙ୍କୁ ସେମାନଙ୍କ ମ୍ୟାଚ ଫି’ର ୧୦ ପ୍ରତିଶତ ଜରିମାନା କରାଯାଇଛି। ସ୍ଥାନୀୟ ଏମ୍‌. ଚିନ୍ନାସ୍ବାମୀ ଷ୍ଟାଡିୟମରେ ଖେଳାଯାଇଥିବା ଏହି ମ୍ୟାଚରେ ପାକିସ୍ତାନ ୨୧ରନରେ ବିଜୟ ଲାଭ କରିଥିଲା। ଏଥିସହିତ ଦଳ ସେମିଫାଇନାଲ ଆଶାକୁ ଉଜ୍ଜୀବିତ କରିଛି।

ବାବର ଆଜାମଙ୍କ ଦଳ ଧାର୍ଯ୍ୟ ସମୟରେ ଟାର୍ଗେଟଠାରୁ ୨ ଓଭରରେ ପଛୁଆ ରହିଥିଲା। ଏମିରେଟ୍ସ ଆଇସିସି ଏଲିଟ୍‌ ପ୍ୟାନେଲ ଅଫ୍‌ ମ୍ୟାଚ ରେଫରିଜ ରିଚି ରିଚାର୍ଡସନ ବାବର ଆଜାମଙ୍କ ଦଳକୁ ଜରିମାନା କରିଛନ୍ତି। ବାବର ଦୋଷ ସ୍ବୀକାର କରିବା ସହ ପ୍ରସ୍ତାବିତ ଦଣ୍ଡକୁ ଗ୍ରହଣ କରିଥିବା ଜଣାପଡିଛି।

ଅନ୍‌-ଫିଲ୍ଡ ଅମ୍ପାୟର ପଲ୍‌ ଓ୍ବିଲସନ ଏବଂ ରିଚାର୍ଡ କେଟେଲବେରୋ, ତୃତୀୟ ଅମ୍ପାୟର ରିଚାର୍ଡ ଇଲିଙ୍ଗଓ୍ବର୍ଥ ଏବଂ ଚତୁର୍ଥ ଅମ୍ପାୟର ଜୋଏଲ ଓ୍ବିଲସନ ପ୍ରମୁଖ ପାକିସ୍ତାନ ଦଳ ବିରୋଧରେ ଏହି ଅଭିଯୋଗ ଆଣିଥିଲେ।

Share