Categories: ଖେଳ

ବିଶ୍ୱକପ୍‌ ପୂର୍ବରୁ ପିସିବିରେ ବିବାଦ, ୪ ମାସ ହେଲା ପାକିସ୍ତାନୀ ଖେଳାଳିଙ୍କୁ ମିଳିନି ଦରମା

ଇସଲାମାବାଦ,୨୬।୯: ୨୦୨୩ କ୍ରିକେଟ ବିଶ୍ୱକପ୍‌ ଆରମ୍ଭ ହେବାକୁ ଆଉ କିଛି ଦିନ ବାକି ଅଛି। ଏଥିପାଇଁ ସମସ୍ତ ଦଳ ପ୍ରସ୍ତୁତି ଶେଷ କରିଛନ୍ତି। ଏହି ସମୟରେ ପାକିସ୍ତାନ କ୍ରିକେଟ ଦଳ ସହ କିଛି ଠିକ୍‌ ଚାଲିନାହିଁ। ଏକ ରିପୋର୍ଟ ଅନୁଯାୟୀ, ଦଳ ଏବଂ ପାକିସ୍ତାନ କ୍ରିକେଟ ବୋର୍ଡ ମଧ୍ୟରେ ଚାଲିଥିବା ବିବାଦ ଏକ ବଡ ମୋଡ ନେଇଛି। ପାକିସ୍ତାନ କ୍ରିକେଟ ଦଳର ଖେଳାଳିଙ୍କୁ ଗତ ୪ ମାସ ହେଲା ଦରମା ମିଳିନାହିଁ ଏବଂ ଖେଳାଳିମାନେ ଏବେ ବିଦ୍ରୋହ କରିପାରନ୍ତି ବୋଲି କୁହାଯାଉଛି।

ରିପୋର୍ଟ ଅନୁଯାୟୀ, ଗତ କିଛି ମାସ ହେବ ବୋର୍ଡ ଏବଂ ଖେଳାଳିଙ୍କ ମଧ୍ୟରେ ବିବାଦ ଲାଗି ରହିଛି। କେନ୍ଦ୍ରୀୟ ଚୁକ୍ତି ହେତୁ ଏହି ବିବାଦ ଉପୁଜିଛି। ଖେଳାଳିମାନେ ଚାରିମାସ ହେଲା ଦରମା ପାଇନାହାଁନ୍ତି । ବିଶ୍ୱକପ୍‌ ଆରମ୍ଭ ପୂର୍ବରୁ ଖେଳାଳିମାନେ ବୋର୍ଡକୁ କହିଛନ୍ତି ଯେ, ଯଦି ବିବାଦର ସମାଧାନ ନ ହୁଏ ତେବେ ସେମାନେ ସ୍ପୋନ୍ସରଙ୍କ ଲୋଗୋ ସହିତ ଜର୍ସି ପିନ୍ଧିବେ ନାହିଁ। ଏହା ସହିତ ସେ ବିଶ୍ୱକପ୍‌ର ପ୍ରମୋଶନାଲ ଇଭେଣ୍ଟରେ ମଧ୍ୟ ଭାଗ ନେବେ ନାହିଁ।

Share