ଇମ୍ରାନଙ୍କୁ ବଡ଼ ଝଟ୍‌କା: ଇସ୍ତଫା ଦେଲେ ୨ ମନ୍ତ୍ରୀ

ଇସଲାମାବାଦ୍‌,୩୦।୩: ପାକିସ୍ତାନରେ ଏକ ରାଜନୈତିକ ଅସ୍ଥିରତା ଜାରି ରହିଛି। ଦେଶରେ ଚାଲିଥିବା ରାଜନୈତିକ ସଙ୍କଟ ମଧ୍ୟରେ ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ବୁଧବାର ଦେଶକୁ ସମ୍ବୋଧିତ କରିବେ। ଏହା ପୂର୍ବରୁ ତାଙ୍କୁ ବଡ଼ ଝଟ୍‌କା ଲାଗିଛି। ପାକିସ୍ତାନର ଇମ୍ରାନ ସରକାରରେ ଆଇନ ମନ୍ତ୍ରୀ ଥିବା ଫାରୁଗ ନାସିମ ଏବଂ ଆଇଟି ମନ୍ତ୍ରୀ ଅମିନ-ଉଲ-ହକ ନିଜ ପଦରୁ ଇସ୍ତଫା ଘୋଷଣା କରିଛନ୍ତି।
ସୂଚନାଯୋଗ୍ୟ, ଅର୍ଥନୀତି ଏବଂ ବୈଦେଶିକ ନୀତିକୁ ଠିକ ଭାବରେ ପରିଚାଳନା କରୁ ନ ଥିବାରୁ ବିରୋଧୀଦଳ ଇମ୍ରାନଙ୍କୁ ବାରମ୍ବାର ଟାର୍ଗେଟ୍‌ କରୁଛନ୍ତି। ସେମାନେ ପିଟିଆଇ ସରକାରକୁ ହଟାଇବାକୁ ଚାହୁଁଛନ୍ତି। ପାକିସ୍ତାନ ମୁସଲିମ ଲିଗ-ନୱାଜ (ପିଏମ୍‌ଏଲ-ଏନ୍‌) ଏବଂ ପାକିସ୍ତାନ ପିପୁଲ୍ସ ପାର୍ଟି (ପିପିପି) ର ପ୍ରାୟ ୧୦୦ ଏମ୍‌ପି ଚଳିତ ମାସ ୮ରେ ଜାତୀୟ ବିଧାନସଭା ସଚିବାଳୟରେ ଅବିଶ୍ୱାସ ପ୍ରସ୍ତାବର ନୋଟିସ ଦେଇଛନ୍ତି।
ଇମ୍ରାନଙ୍କ ବିରୋଧରେ ସଂସଦରେ ମାର୍ଚ୍ଚ ୨୮ରେ ଅବିଶ୍ୱାସ ପ୍ରସ୍ତାବ ଆଗତ ହୋଇଥିଲା। ମାର୍ଚ୍ଚ ୩୧ରେ ଭୋଟିଂ ହୋଇ ଫଳାଫଲ ଆସିବ। ଅବିଶ୍ୱାସ ପ୍ରସ୍ତାବ ଜିତିବା ପାଇଁ, ସଂସଦର ନିମ୍ନ ଗୃହରେ ସମୁଦାୟ ୩୪୨ ଜଣ ସଦସ୍ୟଙ୍କ ମଧ୍ୟରୁ ୧୭୨ ଜଣ ସଦସ୍ୟଙ୍କ ସମର୍ଥନ ଆବଶ୍ୟକ। ଜାତୀୟ ସଭାରେ ଇମ୍ରାନ ଖାନ ବହୁମତ ରହିଛି। ଏଠାରେ ତାଙ୍କ ପିଟିଆଇର ୧୫୫ ସଦସ୍ୟ ଏବଂ ମିଳିତ ସହଯୋଗୀ ଦଳର ୨୩ ସଦସ୍ୟ ଅଛନ୍ତି। ବିରୋଧୀ ଦଳର ୧୬୩ ସଦସ୍ୟ ଅଛନ୍ତି। ବିରୋଧୀ ଦଳ ଆଶା କରୁଛନ୍ତି ଯେ ଶାସକ ମିଳିତ ମଞ୍ଚର କିଛି ଅସନ୍ତୁଷ୍ଟ ବିଧାୟକ ତାଙ୍କ ସରକାରକୁ ହଟାଇବାରେ ସେମାନଙ୍କୁ ସମର୍ଥନ କରିବେ। ୨୦୧୮ରେ କ୍ରିକେଟରୁ ରାଜନେତା ପାଲଟିଥିବା ଇମ୍ରାନ କ୍ଷମତାକୁ ଆସିଥିଲେ ଏବଂ ପରବର୍ତ୍ତୀ ସାଧାରଣ ନିର୍ବାଚନ ୨୦୨୩ ରେ ହେବ।

Share