ପୁଣି କଶ୍ମୀର ପ୍ରସଙ୍ଗ ଉଠାଇଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ
ଇସଲାମାବାଦ୍,୬।୨: ପାକିସ୍ତାନର ଅର୍ଥନୈତିକ ଅବସ୍ଥା ବେହାଲ ହୋଇପଡିଛି। ସାଧାରଣ ଜନତା ଦରଦାମ ବୃଦ୍ଧି ଯୋଗୁ ଚିନ୍ତାରେ ଅଛନ୍ତି। ଲୋକମାନେ ସରକାରଙ୍କୁ ବିରୋଧ କରିବାକୁ ରାଜରାସ୍ତାକୁ ଓହ୍ଲାଉଛନ୍ତି। କିନ୍ତୁ ଏପରି ପରିସ୍ଥିତିରେ ମଧ୍ୟ ପାକିସ୍ତାନର ପ୍ରଧାନମନ୍ତ୍ରୀ ଶେହବାଜ ଶରିଫ ମଧ୍ୟ କଶ୍ମୀର ପ୍ରସଙ୍ଗ ଉଠାଇ ଭାରତକୁ ଟାର୍ଗେଟ୍ କରିବାକୁ ଆଦୌ ପଛାଉନାହାନ୍ତି। ଯେପର୍ଯ୍ୟନ୍ତ ଜାତିସଂଘର ନିଷ୍ପତ୍ତି ଅନୁଯାୟୀ ଆତ୍ମନିର୍ଣ୍ଣୟର ଅଧିକାର ନ ପାଇଛନ୍ତି, ସେପର୍ଯ୍ୟନ୍ତ କଶ୍ମୀରବାସୀଙ୍କୁ କୂଟନୈତିକ, ରାଜନୈତିକ ଏବଂ ନୈତିକ ସମର୍ଥନ ଦେବାକୁ ସେ ଦୋହରାଇଛନ୍ତି।
ମୁଜାଫରବାଦରେ ପାକିସ୍ତାନ ଅଧିକୃତ କାଶ୍ମୀର (ପିଓକେ) ବିଧାନସଭାର ଏକ ସ୍ବତନ୍ତ୍ର ଅଧିବେଶନକୁ ସମ୍ବୋଧିତ କରି ଶରିଫ କହିଛନ୍ତି, ଜାତିସଂଘ ସୁରକ୍ଷା ପରିଷଦର ସଂକଳ୍ପ ଅନୁଯାୟୀ, ଜମ୍ମୁ କଶ୍ମୀର ବିବାଦର ଶାନ୍ତିପୂର୍ଣ୍ଣ ସମାଧାନ ପାଇଁ ପାକିସ୍ତାନ ସର୍ବଦା ଜିଦ ଧରିଛି। ପୂର୍ବ ତୈମୁର, ଦାରଫୁର ଏବଂ ବିଶ୍ୱର ଅନ୍ୟାନ୍ୟ ଅଞ୍ଚଳକୁ ଜାତୀୟ ଆଧାରରେ ସ୍ବାଧୀନତା ଦିଆଯାଇଥିଲା କିନ୍ତୁ ଏହା କଶ୍ମୀର ଏବଂ ପାଲେଷ୍ଟାଇନ ପାଇଁ ଏହା ଲାଗୁ ହେଉ ନାହିଁ।
ସେହିପରି ପାକିସ୍ତାନ ବୈଦେଶିକ ମନ୍ତ୍ରୀ ବିଲାୱାଲ ଭୁଟ୍ଟୋ ଜର୍ଦ୍ଦାରୀ କହିଛନ୍ତି, ଜମ୍ମୁ କଶ୍ମୀର ବିବାଦ ପାକିସ୍ତାନର ବୈଦେଶିକ ନୀତିର ଏକ ପ୍ରମୁଖ ସ୍ତମ୍ଭ ହୋଇ ରହିବ। ଆମେ କଶ୍ମୀରବାସୀଙ୍କୁ ନିରନ୍ତର ନୈତିକ, କୂଟନୈତିକ ଏବଂ ରାଜନୈତିକ ସମର୍ଥନ ଯୋଗାଇବା ଜାରି ରଖିବୁ।