ପାକିସ୍ତାନ ଚର୍ଚ୍ଚ ଆକ୍ରମଣ ଘଟଣାରେ ୨ ସନ୍ଦିଗ୍ଧ ଗିରଫ

ଲାହୋର,୧୮।୮: ଆଜିକାଲି ପାକିସ୍ତାନରେ ଖ୍ରୀଷ୍ଟିଆନ ସମ୍ପ୍ରଦାୟର ଲୋକଙ୍କ ଚର୍ଚ୍ଚ ଏବଂ ଘର ଉପରେ ଲଗାତାର ଆକ୍ରମଣ କରାଯାଉଛି। ଏହି ପ୍ରସଙ୍ଗରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ପଞ୍ଜାବ ପ୍ରଦେଶର କାର୍ଯ୍ୟକାରୀ ମୁଖ୍ୟମନ୍ତ୍ରୀ ମୋହସିନ ନକଭି କହିଛନ୍ତି ଯେ ୨୧ଟି ଚର୍ଚ୍ଚ ଉପରେ ଆକ୍ରମଣରେ ସମ୍ପୃକ୍ତ ଦୁଇ ପ୍ରମୁଖ ସନ୍ଦିଗ୍ଧ ତଥା ସଂଖ୍ୟାଲଘୁ ଖ୍ରୀଷ୍ଟିଆନ ସମ୍ପ୍ରଦାୟର ପ୍ରାୟ ତିନି ଡଜନ ଘରେ ଆକ୍ରମଣ ଅଭିଯୋଗରେ ମୁଖ୍ୟ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି।
ସେ ପଞ୍ଜାବର ମୁଖ୍ୟ ସଚିବ ତଥା ପୋଲିସ ମହାନିର୍ଦ୍ଦେଶକଙ୍କ ଉଦ୍ୟମକୁ ପ୍ରଶଂସା କରି କହିଛନ୍ତି ଯେ ମୁଖ୍ୟ ଅଭିଯୁକ୍ତମାନଙ୍କୁ ଗିରଫ କରିବାରେ ଉଭୟ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି। ପଞ୍ଜାବର ପ୍ରାଦେଶିକ ରାଜଧାନୀ ଲାହୋର ଠାରୁ ୧୩୦କିଲୋମିଟର ଦୂରରେ ଥିବା ଫୈସଲାବାଦ ଜିଲ୍ଲାର ଜରନୱାଲା ସହରରେ ବୁଧବାର କ୍ରୋଧିତ ଜନତା ୨୧ଟି ଚର୍ଚ୍ଚ ଏବଂ ୩୫ ଖ୍ରୀଷ୍ଟିଆନଙ୍କ ଘରେ ଭଙ୍ଗାରୁଜା କରିଥିଲେ।
ସୂଚନାନୁସାରେ, ହିଂସା ଆରମ୍ଭ ହେବାର ଗୋଟିଏ ଦିନ ପରେ ପଞ୍ଜାବ ପୋଲିସ ଦ୍ୱାରା ଅତି କମରେ ୧୪୦ଜଣଙ୍କୁ ଗିରଫ କରାଯାଇଥିଲା ଏବଂ ପାଞ୍ଚଟି ମାମଲା ପଞ୍ଜିକୃତ ହୋଇଥିଲା। ପୋଲିସ ଦ୍ୱାରା ଗିରଫ ହୋଇଥିବା ବ୍ୟକ୍ତିଙ୍କ ମଧ୍ୟରେ ମୁଖ୍ୟ ସନ୍ଦିଗ୍ଧ ମହମ୍ମଦ ୟାସିନ ଅଛନ୍ତି, ଯିଏକି ଏକ ଭିଡିଓ ମାଧ୍ୟମରେ ପରିଚିତ ହୋଇଥିଲେ।

Share