ଇମ୍ରାନ ସରକାରଙ୍କ କାଉଣ୍ଟଡାଉନ୍‌ ଆରମ୍ଭ: ଏପ୍ରିଲ ୩ରେ ହେବ ଅନାସ୍ଥା ପ୍ରସ୍ତାବ ଉପରେ ଭୋଟିଂ

ଇସ୍‌ଲାମାବାଦ୍‌,୨୯।୩: ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁଙ୍କ ବିରୋଧରେ ଏପ୍ରିଲ ୩ରେ ଅନାସ୍ଥା ପ୍ରସ୍ତାବ ଉପରେ ସଂସଦରେ ଭୋଟିଂ କରାଯିବ। ମଙ୍ଗଳବାର ଏନେଇ ପାକିସ୍ତାନର ଗୃହମନ୍ତ୍ରୀ ଶେଖ୍‌ ରସିଦ ଦାବି କରିଛନ୍ତି। ସୋମବାର ପାକିସ୍ତାନ ସଂସଦରେ ଇମ୍ରାନଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଗତ କରାଯାଇଥିଲା। ଏହି ପ୍ରସ୍ତାବ ଉପରେ ମାର୍ଚ୍ଚ ୩୧ରେ ଆଲୋଚନା ହେବ। ତେବେ ଏହାର ଚୂଡ଼ାନ୍ତ ନିଷ୍ପତ୍ତି ଏପ୍ରିଲ ୩ର ଶେଷ ଘଣ୍ଟା ସୁଦ୍ଧା ନିଆଯିବ ବୋଲି ଗୃହମନ୍ତ୍ରୀ ଶେଖ୍‌ ରସିଦ କହିଛନ୍ତି। ଅନ୍ୟପଟେ ପାକିସ୍ତାନ ରାଜନୀତିର ମ୍ୟାଚ ଏକ ମଜାଦାର ପର୍ଯ୍ୟାୟରେ ପହଞ୍ଚୁଛି। ଶେଷ ବଲ ପର୍ଯ୍ୟନ୍ତ ଇମ୍ରାନ ଖାନ ଖେଳିବେ ବୋଲି ଶେଖ୍‌ ରସିଦ କହିଛନ୍ତି। ସୂଚନାଯୋଗ୍ୟ, ବିରୋଧୀ ଦଳର ୧୬୧ ସାଂସଦ ଇମ୍ରାନ ଖାନଙ୍କ ବିରୋଧରେ ଆଗତ ହୋଇଥିବା ଅନାସ୍ଥା ପ୍ରସ୍ତାବକୁ ସମର୍ଥନ କରିଥିଲେ। ତେବେ ସୂତ୍ରରୁ ମିଳିଥିବା ଖବର ଅନୁସାରେ ତାଙ୍କ ଦଳର ଅନେକ ସାଂସଦ ତଥା ସହଯୋଗୀ ଦଳ ଏମ୍‌କ୍ୟୁଏମ୍‌-ପି ଏବଂ ପିଏମ୍‌ଏଲ୍‌-କ୍ୟୁ ମଧ୍ୟ ତାଙ୍କ ବିରୁଦ୍ଧରେ ଯାଇପାରନ୍ତି। ଯାହା ଇମ୍ରାନଙ୍କ ପାଇଁ ଅତ୍ୟନ୍ତ ଚିନ୍ତାର ବିଷୟ ବୋଲି କୁହାଯାଉଛି।

Share