ଇମ୍ରାନଙ୍କ ଉପରେ ମଙ୍ଗଳବାର ନିଆଯିବ ନିଷ୍ପତ୍ତି

ଇସଲାମାବାଦ୍‌,୪।୪:ପାକିସ୍ତାନରେ ରାଜନୈତିକ ସଙ୍କଟ ଥମିବାର ନା ଧରୁନି। ନ୍ୟାଶନାଲ୍‌ ଆସେମ୍ବ୍ଲି ଭଙ୍ଗ ବିରୋଧରେ ବିରୋଧୀଙ୍କ ଆବେଦନ ଉପରେ ପାକିସ୍ତାନର ସୁପ୍ରିମକୋର୍ଟରେ ଶୁଣାଣି ଆସନ୍ତାକାଲି ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଛି। ସୋମବାର ଶୁଣାଣି ସମୟରେ ସୁପ୍ରିମକୋର୍ଟ କହିଛନ୍ତି, ଉପବାଚସ୍ପତି କାସିମ ସୁରି ନିଜ ଅଧିକାରଠାରୁ ଅଧିକ କାର୍ଯ୍ୟ କରିଛନ୍ତି। ସମ୍ବିଧାନ ବିଷୟରେ ସୁପ୍ରିମକୋର୍ଟ କହିଛନ୍ତି, ନ୍ୟାଶନାଲ୍‌ ଆସେମ୍ବ୍ଲି ଭଙ୍ଗ ଉପରେ କେବଳ ବାଚସ୍ପତି ନିଷ୍ପତ୍ତି ନେଇପାରିବେ। ଆସନ୍ତାକାଲି ଅପରାହ୍ନ ୧୨ଟା (ପାକିସ୍ତାନ ସମୟ) ପର୍ଯ୍ୟନ୍ତ ମାମଲାର ଶୁଣାଣି ସ୍ଥଗିତ ରଖିଛନ୍ତି କୋର୍ଟ।
ସୂଚନାଯୋଗ୍ୟ,ପ୍ରଧନମନ୍ତ୍ରୀ ଇମ୍ରାନ ଖାନଙ୍କ ବିପକ୍ଷରେ ରବିବାର ବିରୋଦୀ ଦଳଗୁଡିକ ପକ୍ଷରୁ ଅଣାଯାଇଥିବା ଅନାସ୍ଥା ପ୍ରସ୍ତାବକୁ ନ୍ୟାଶନାଲ୍‌ ଆସେମ୍ବ୍ଲି ଉପବାଚସ୍ପତି କାସିମ ସୁରି ଅସାମ୍ବିଧାନିକ ଦର୍ଶାଇ ଖାରଜ କରିଦେଇଛନ୍ତି। ଇମ୍ରାନ ଏହି ନାସ୍ଥା ପ୍ରସ୍ତାବ ପଛରେ ବିଦେଶୀ ଶକ୍ତିଙ୍କ ହାତ ଥିବା ଦର୍ଶାଇ ପାର୍ଲାମେଣ୍ଟ ଭଙ୍ଗ ପାଇଁ ରାଷ୍ଟ୍ରପତି ଆରିଫ୍‌ ଅଲ୍‌ଭିଙ୍କୁ ସୁପାରିସ କରିଛନ୍ତି। ରାଷ୍ଟ୍ରପତି ନ୍ୟାଶନାଲ୍‌ ଆସେମ୍ବ୍ଲିକୁ ଭଙ୍ଗ କରି ୩ ମାସ ମଧ୍ୟରେ ସାଧାରଣ ନିର୍ବାଚନ କରାଇବାକୁ ପରାମର୍ଶ ଦେଇଛନ୍ତି। ଇମ୍ରାନଙ୍କ ଏହି ବିବାଦୀୟ ପଦକ୍ଷେପକୁ ବିରୋଦୀ ଦଳଗୁଡିକ ମିଳିତ ଭାବେ ପାକିସ୍ତାନ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ।

Share