ଲୋକପ୍ରିୟତାରେ ଇମ୍ରାନଙ୍କୁ ପଛରେ ପକାଇଲେ ନଓ୍ବାଜ

ଇସ୍‌ଲାମାବାଦ,୧୮।୨: ପାକିସ୍ତାନରେ ବର୍ତ୍ତମାନ ଇମ୍ରାନ ଖାନ ସରକାରଙ୍କ ରାଜୁତି ଚାଲୁଛି। କିନ୍ତୁ ପାକିସ୍ତାନର ଏଭଳି କେତେକ ଅଞ୍ଚଳ ଅଛି, ଯେଉଁଠାରେ ଆଜିବି ପୂର୍ବତନ ପ୍ରଧାନମନ୍ତ୍ରୀ ନଓ୍ବାଜ ସରିଫ୍‌ଙ୍କ ଲୋକପ୍ରିୟତା କିଛି କମ୍‌ ହୋଇନାହିଁ। ଏକ ସର୍ଭେ ଅନୁସାରେ ଦେଶର ଅନେକ ସହରରେ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଲୋକପ୍ରିୟତା ତୁଳନାରେ ପାକିସ୍ତାନ ମୁସଲିମ ଲିଗ-ନୱାଜ (ପିଏମଏଲ୍‌ଏନ୍‌)ର ସୁପ୍ରିମୋ ନୱାଜ ସରିଫ ସବୁଠାରୁ ଆଗରେ ରହିଛନ୍ତି। ପଞ୍ଜାବରେ ୫୮ ପ୍ରତିଶତ, ଖେବର ପଖତୁନଖଓ୍ବା(କେପି)ରେ ୪୬ ପ୍ରତିଶତ ଓ ସିନ୍ଧ ପ୍ରଦେଶରେ ୫୧ ପ୍ରତିଶତ ଲୋକପ୍ରିୟତା ରେଟିଂରେ ଇମ୍ରାନ ଖାନଙ୍କଠାରୁ ଆଗରେ ଅଛନ୍ତି ନୱାଜ ସରିଫ। ଏକ ଅନ୍ତର୍ଜାତୀୟ ଗଣମାଧ୍ୟମ ଅନୁସାରେ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଖେବର ପଖତୁନଖଓ୍ବାରେ ୪୬ ପ୍ରତିଶତ ଏବଂ ସିନ୍ଧ ଓ ପଞ୍ଜାବରେ ୩୩ ପ୍ରତିଶତ ଲୋକପ୍ରିୟତା ହ୍ରାସ ପାଇଛି। ଏନେଇ ଗବେଷଣା କମ୍ପାନୀ ଗାଲୁପ ପାକିସ୍ତାନ ସୂଚନା ଦେଇଛି। ତେବେ ଡିସେମ୍ବର ୨୨ରୁ ଜାନୁୟାରୀ ୨୦୨୨ ମଧ୍ୟରେ ହୋଇଥିବା ଏକ ସର୍ଭେରେ ଏହା ଦେଖିବାକୁ ମିଳିଛି। ଗବେଷଣା କମ୍ପାନୀ ଗାଲୁପ ପାକିସ୍ତାନ ଏହି ସର୍ଭେ କରିଥିବା ଜଣାପଡ଼ିଛି। ସୂଚନା ମୁତାବକ ପିଏମଏଲଏନ୍‌ ସୁପ୍ରିମୋ ନୱାଜ ସରିଫ, ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ, ପିଏମଏଲ୍‌ଏନ୍‌ ଅଧ୍ୟକ୍ଷ ଶାହବାଜ ସରିଫ ଏବଂ ପିପିପି ଅଧ୍ୟକ୍ଷ ବିଲାୱଲ ଭୁଟ୍ଟୋ ଓ ଆସିଫ ଜାରଦାରୀଙ୍କୁ ନେଇ ଏକ ସର୍ଭେ କରାଯାଇଥିଲା। ଏମାନଙ୍କ ଲୋକପ୍ରିୟତା ସମ୍ପର୍କରେ ୫ହଜାରରୁ ଅଧିକ ଲୋକଙ୍କ ମତାମତ ନିଆଯାଇଥିଲା। ତେବେ ବର୍ତ୍ତମାନର ସର୍ଭେରେ ନୱାଜ ସରିଫଙ୍କୁ କେପିରେ ୪୬ ପ୍ରତିଶତ, ଇମ୍ରାନଙ୍କୁ ୪୪ ପ୍ରତିଶତ, ଶାହବାଜଙ୍କୁ ୪୩ ପ୍ରତିଶତ, ବିଲାୱାଲ ଭୁଟ୍ଟୋ ଓ ଆସିଫଙ୍କୁ ୨୪ ପ୍ରତିଶତ ଲୋକଙ୍କ ସମର୍ଥନ ମିଳିଛି।

Share