ଆମେରିକାକୁ ଅସ୍ତ୍ରଶସ୍ତ୍ର ବିକିଲା ପାକିସ୍ତାନ…

ଇସଲାମାବାଦ/ଓ୍ବାଶିଂଟନ,୧୯।୯: ଏକ ରିପୋର୍ଟ ଦାବି କରାଯାଇଛି ପାକିସ୍ତାନ ୟୁକ୍ରେନକୁ ଯୋଗାଇବା ପାଇଁ ଗୁପ୍ତଚର ଚୁକ୍ତି ଅନୁଯାୟୀ ଆମେରିକାକୁ ଅସ୍ତ୍ରଶସ୍ତ୍ର ବିକ୍ରୟ କରିଛି। ଏହାର ପ୍ରତିବଦଳରେ ଅର୍ଥନୈତିକ ସଙ୍କଟରେ ଘେରି ରହିଥିବା ପାକିସ୍ତାନକୁ ଆଇଏମଏଫ ଏକ ବେଲ ଆଉଟ ପ୍ୟାକେଜ ପ୍ରଦାନ କରିଛି। ଏହି ଦାବିକୁ ସମର୍ଥନ କରି ପାକିସ୍ତାନୀ ଏବଂ ଆମେରିକା ସରକାରୀ ଦଲିଲଗୁଡ଼ିକୁ ରିପୋର୍ଟରେ ଉଲ୍ଲେଖ କରାଯାଇଛି। ତେବେ ପାକିସ୍ତାନ ସରକାର ଏହି ଅଭିଯୋଗକୁ ଖଣ୍ଡନ କରିଛନ୍ତି।

ଅନଲାଇନ ଅନୁସନ୍ଧାନକାରୀ ୱେବସାଇଟ ଇଣ୍ଟରସେପ୍ଟ ଏହି ରିପୋର୍ଟ ପ୍ରକାଶ କରିଛି ରିପୋର୍ଟରେ କୁହାଯାଇଛି ୟୁକ୍ରେନ ସେନାର ବ୍ୟବହାର ପାଇଁ ପାକିସ୍ତାନ ଏବଂ ଆମେରିକା ମଧ୍ୟରେ ଏହି ଚୁକ୍ତି ହୋଇଛି। ରିପୋର୍ଟ ଅନୁଯାୟୀ, ଏହି ଚୁକ୍ତି ପାଇଁ ଆମେରିକା ପାକିସ୍ତାନ ଉପରେ ଚାପ ପକାଇଥିବା ଅଭିଯୋଗ ହୋଇଛି। ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ପାକିସ୍ତାନ ଆଇଏମଏଫରୁ ତିନି ବିଲିୟନ ଡଲାରର ଏକ ବେଲ ଆଉଟ ପ୍ୟାକେଜ ପାଇଛି। ରିପୋର୍ଟ ଅନୁଯାୟୀ, କେବଳ ଆଇଏମଏଫରୁ ଏହି ବେଲ ଆଉଟ ପ୍ୟାକେଜ ପାଇବା ପାଇଁ ପାକିସ୍ତାନ ଆମେରିକାର ଚାପରେ ଏହି ଚୁକ୍ତି କରିଥିଲା। ତେବେ ପାକିସ୍ତାନ ବୈଦେଶିକ ବିଭାଗର ମୁଖପାତ୍ର ମମତାଜ ଜାହରା ବାଲୋଚ ଏହି ରିପୋର୍ଟରେ ଦିଆଯାଇଥିବା ଦାବିକୁ ପ୍ରତ୍ୟାଖ୍ୟାନ କରିଛନ୍ତି। ସେ ଏହି ଅଭିଯୋଗକୁ ଭିତ୍ତିହୀନ ଏବଂ ମିଥ୍ୟା ବୋଲି କହିଛନ୍ତି।

ସେ କହିଛନ୍ତି ରୁଷିଆ-ୟୁକ୍ରେନ ଯୁଦ୍ଧରେ ପାକିସ୍ତାନର ନୀତି କଠୋର ନିରପେକ୍ଷ ରହିଛି। କୌଣସି ଦେଶକୁ ଅସ୍ତ୍ରଶସ୍ତ୍ର କିମ୍ବା ଗୁଳିଗୋଳା ଯୋଗାଇ ଦିଆଯାଇ ନାହିଁ। ଅସ୍ତ୍ରଶସ୍ତ୍ର ରପ୍ତାନି ପାଇଁ ପାକିସ୍ତାନର କଡା ନିୟମ ରହିଛି। ସୂଚନାଯୋଗ୍ୟ ଜୁଲାଇରେ ୟୁକ୍ରେନର ବୈଦେଶିକ ମନ୍ତ୍ରୀ ଦିମିତ୍ରୀ କୁଲେବା ପାକିସ୍ତାନ ଗସ୍ତ କରିଥିଲେ। ସେହି ସମୟ ମଧ୍ୟରେ କୁଲେବା ୟୁକ୍ରେନକୁ ଅସ୍ତ୍ରଶସ୍ତ୍ର ଯୋଗାଇ ଦେଉଥିବା ଖବରକୁ ପ୍ରତ୍ୟାଖ୍ୟାନ କରିଥିଲେ। ପାକିସ୍ତାନର ପୂର୍ବତନ ବୈଦେଶିକ ମନ୍ତ୍ରୀ ବିଲାୱାଲ ଭୁଟ୍ଟୋ ଜରଦାରୀ ମଧ୍ୟ ଏହି ଅଭିଯୋଗକୁ ଖଣ୍ଡନ କରିଛନ୍ତି।

ଅସ୍ତ୍ରଶସ୍ତ୍ର ବିକ୍ରୟ ପାଇଁ ପାକିସ୍ତାନ ୱାର୍ସରେ ଏକ ଫାର୍ମ ପ୍ରତିଷ୍ଠା କରିଥିବା ମଧ୍ୟ ଖବର ରହିଛି। ଏପ୍ରିଲରେ ବିବିସିଙ୍କୁ ଦିଆଯାଇଥିବା ଏକ ସାକ୍ଷାତକାରରେ ୟୁକ୍ରେନର ଜଣେ ବରିଷ୍ଠ କମାଣ୍ଡର କହିଛନ୍ତି ସେମାନେ ପାକିସ୍ତାନ ସମେତ ଅନେକ ଦେଶରୁ ଅସ୍ତ୍ରଶସ୍ତ୍ର ପାଇଛନ୍ତି। କିନ୍ତୁ ୟୁକ୍ରେନ ସରକାର ଏହାକୁ ଅସ୍ବୀକାର କରିଛନ୍ତି।

Share