Categories: ଖେଳ

ଅଲିମ୍ପିକ କ୍ୱାଲିଫାୟର୍ସ ଆୟୋଜନ କରିବ ପାକିସ୍ତାନ

କରାଚୀ, ୧୧ା୭: ପାକିସ୍ତାନ ପ୍ରାୟ ୧୯ବର୍ଷ ବ୍ୟବଧାନରେ ଏକ ଅନ୍ତର୍ଜାତୀୟ ହକି ଇଭେଣ୍ଟ ଆୟୋଜନ କରିବାକୁ ଯାଉଛି। ଆସନ୍ତାବର୍ଷ ପ୍ରଥମ ଭାଗରେ ଅଲିମ୍ପିକ କ୍ୱାଲିଫାଇଂ ରାଉଣ୍ଡ ଆୟୋଜନ କରିବା ଲାଗି ସୁଯୋଗ ଦେଇଛି ଅନ୍ତର୍ଜାତୀୟ ହକି ମହାସଂଘ (ଏଫଆଇଏଚ୍‌)। ପାକିସ୍ତାନ ଗତଥର ଏକ ଏଫ୍‌ଆଇଏଚ୍‌ ଇଭେଣ୍ଟ ୨୦୦୪ରେ ଆୟୋଜନ କରିଥିଲା। ଏଥର ଆସନ୍ତାବର୍ଷ ଜାନୁୟାରୀ ୧୩ରୁ ୨୪ ପର୍ଯ୍ୟନ୍ତ ଲାହୋରରେ ୮ଟି ଦଳକୁ ନେଇ ଅଲିମ୍ପିକ କ୍ୱାଲିଫାଇଂ ରାଉଣ୍ଡ ଆୟୋଜନ କରିବାକୁ ଯାଉଛି। ପାକିସ୍ତାନ ହକି ସମର୍ଥକମାନେ ଗତ ୨୦ ବର୍ଷ ହେଲା ଦେଶରେ ଏକ ଅନ୍ତର୍ଜାତୀୟ ଷ୍ଟାର ଖେଳାଳି ଦେଖିବାକୁ ପାଇ ନାହାନ୍ତି। ଏଫ୍‌ଆଇଏଚ୍‌ ଅଲିମ୍ପିକ କ୍ୱାଲିଫାୟର ନିଶ୍ଚିତ ଭାବେ ପାକିସ୍ତାନରେ ଖେଳର ପ୍ରସାର ଘଟାଇବ ବୋଲି ଏଫ୍‌ଆଇଏଚ୍‌ ସେକ୍ରେଟାରୀ ଜେନେରାଲ ହାଇଦର ହୁସେନ କହିଛନ୍ତି। ସେ କହିଛନ୍ତି, ବହୁ ଲବି ପରେ ପାକିସ୍ତାନକୁ ଇଭେଣ୍ଟ ଆବଣ୍ଟନ ଲାଗି ପାକିସ୍ତାନ ହକି ମହାସଂଘକୁ ମନାଇବାରେ ସଫଳ ହୋଇଛି। ପାକିସ୍ତାନ ଦୁର୍ଭାଗ୍ୟଜନକ ଭାବେ ୨୦୧୬ ଓ ୨୦୧୨ରେ ଗତ ଦୁଇଟି ଅଲିମ୍ପିକ ଗେମ୍ସ ପାଇଁ ଯୋଗ୍ୟତା ଅର୍ଜନ କରିବାରେ ବିଫଳ ହୋଇଛି। ଦିଆଯାଇଥିବା ଫର୍ମାଟ ଅନୁସାରେ ଏସିଆର ଶ୍ରେଷ୍ଠ ୫ ଦଳ, ୟୁରୋପରୁ ୭, ପାନ୍‌ ଆମେରିକାରୁ ୨ ଏବଂ ଆଫ୍ରିକା ଓ ଓସେନିଆରୁ ଗୋଟିଏ ଲେଖାଏ ଦଳ ଏହି ଇଭେଣ୍ଟରେ ଭାଗ ନେବେ। ପ୍ରତ୍ୟେକ ଅଲିମ୍ପିକ କ୍ୱାଲିଫିକେଶନ ଟୁର୍ନାମେଣ୍ଟରୁ ଶ୍ରେଷ୍ଠ ୩ ଦଳ ପ୍ୟାରିସ ୨୦୨୪କୁ ଯୋଗ୍ୟତା ଅର୍ଜନ କରିବେ। ବର୍ତ୍ତମାନ ବିଶ୍ୱ ର଼୍ୟାଙ୍କିଙ୍ଗରେ ୧୬ତମ ସ୍ଥାନରେ ଥିବା ପାକିସ୍ତାନ ଯଦି ଏସିଆନ ଗେମ୍ସ ଜିତି ନ ପାରେ ତଥାପି କ୍ୱାଲିଫାଇଂ ରାଉଣ୍ଡରେ ଖେଳିବା ଲାଗି ଯୋଗ୍ୟ। ପାକିସ୍ତାନ ଏସିଆନ ଗେମ୍ସରେ ଭାରତ, କୋରିଆ, ମାଲେସିଆ, ଜାପାନ ଓ ଚାଇନା ଭଳି ଦେଶ ସହ ମୁକାବିଲା କରିବ।

Share