ପାକିସ୍ତାନରେ ଆତ୍ମଘାତୀ ବିସ୍ଫୋରଣ: ମୃତ୍ୟୁ ସଂଖ୍ୟା ୫୬କୁ ବୃଦ୍ଧି

କରାଚୀ,୨୯ା୯: ପାକିସ୍ତାନରେ ଶୁକ୍ରବାର ଦୁଇଟି ଆତ୍ମଘାତୀ ବିସ୍ଫୋରଣ ଘଟିଛି। ବିସ୍ଫୋରଣରେ ମୃତ୍ୟୁ ସଂଖ୍ୟା ୫୬କୁ ବୃଦ୍ଧି ପାଇଥିବା ବେଳେ ୬୦ରୁ ଊର୍ଦ୍ଧ୍ୱ ଆହତ ହୋଇଛନ୍ତି। ପ୍ରଥମ ବିସ୍ଫୋରଣ ବେଲୁଚିସ୍ତାନ ପ୍ରଦେଶରେ ଥିବା ଏକ ମସ୍‌ଜିଦରେ ପ୍ରଫେଟ୍‌ ମହମ୍ମଦଙ୍କ ଜନ୍ମଦିନ ପାଳନ ବେଳେ ଘଟିଥିଲା। ଏଥିରେ ୫୨ ଜଣଙ୍କ ଜୀବନ ଯିବା ସହ ଅନ୍ୟ ୫୦ ଜଣ ଆହତ ହୋଇଛନ୍ତି। ଏହାର କିଛି ଘଣ୍ଟା ପରେ ଖାଇବର ପାଖତୁନ୍‌ଖ୍ବାର ହଙ୍ଗୁ ସହରରେ ଥିବା ଏକ ମସ୍‌ଜିଦରେ ବିସ୍ଫୋରଣ ଘଟି ୪ ଜଣ ପ୍ରାଣ ହରାଇବା ସହ ୧୨ ଆହତ ହୋଇଛନ୍ତି।

ବିସ୍ଫୋରଣ ପାଇଁ ଯେଉଁମାନେ ଦାୟୀ ସେମାନଙ୍କୁ ତୁରନ୍ତ ଗିରଫ କରିବା ପାଇଁ କାମଚଳା ମୁଖ୍ୟମନ୍ତ୍ରୀ ଅଲି ମର୍ଦାନ ଡୋମ୍‌କି ନିର୍ଦ୍ଦେଶ ଦେଇଛନ୍ତି। ଆତଙ୍କବାଦ ବିରୋଧରେ ଦେଶବାସୀ ଏକାଠି ହେବାକୁ ମୁଖ୍ୟମନ୍ତ୍ରୀ ଡୋମ୍‌କି ଆହ୍ବାନ ଦେଇଛନ୍ତି। ଇସ୍‌ଲାମ ହେଉଛି ଶାନ୍ତିର ଧର୍ମ। ଯେଉଁମାନେ ଏଭଳି ବୀଭତ୍ସ ଆକ୍ରମଣ ଘଟାଉଛନ୍ତି, ସେମାନଙ୍କୁ ମୁସଲ୍‌ମାନ କୁହାଯିବ ନାହିଁ ବୋଲି ସେ କହିଛନ୍ତି। ମୃତକମାନଙ୍କ ପାଇଁ ବେଲୁଚିସ୍ତାନରେ ୩ ଦିନିଆ ଶୋକ ଘୋଷଣା କରାଯାଇଛି।

Share