Categories: ଜାତୀୟ

ଜମ୍ମୁ-କଶ୍ମୀର ଏଲ୍‌ଓସିରେ ତୋପ ପରୀକ୍ଷା କଲା ପାକିସ୍ତାନ

ଶ୍ରୀନଗର,୩ା୧୧: ଜମ୍ମୁ-କଶ୍ମୀର ଅନ୍ତର୍ଗତ ନିୟନ୍ତ୍ରଣ ରେଖା(ଏଲ୍‌ଓସି) ନିକଟରେ ପାକିସ୍ତାନ କେତେଗୁଡ଼ିଏ ତୋପ ପରୀକ୍ଷା କରିଛି। ସେଥିରେ ଚାଇନା କମ୍ପାନୀ ଦ୍ୱାରା ବିକଶିତ ଏସ୍‌ଏଚ୍‌-୧୫ ଏବଂ ୧୫୫ ଏମ୍‌ଏମ୍‌ ହାଇତ୍‌ଜର ତୋପ ସମେତ ବିଭିନ୍ନ ଆର୍ଟିଲେରି ସିଷ୍ଟମ ରହିଛି।

ଉପସାଗରୀୟ ଏବଂ ପଶ୍ଚିମ ୟୁରୋପୀୟ ଦେଶ ସମେତ ଦୀର୍ଘଦିନର ସହଯୋଗୀ ତୁର୍କୀ ସହ ପାକିସ୍ତାନ ପ୍ରତିରକ୍ଷା ସମ୍ପର୍କକୁ ସୁଦୃଢ଼ କରୁଥିବା ବେଳେ ଚାଇନା ରାଷ୍ଟ୍ରାୟତ୍ତ କମ୍ପାନୀ ତତ୍ତ୍ୱାବଧାନରେ ଉପସାଗରୀୟ ରାଷ୍ଟ୍ର ସହ ମିଶି ୧୫୫ଏମ୍‌ଏମ୍‌ ତୋପ ଉତ୍ପାଦନ କରୁଛି। କିଛିଦିନ ହେଲା ଏଲ୍‌ଓସିରେ ଏହି ତୋପଗୁଡ଼ିକର ଗତିବିଧି ଲକ୍ଷ୍ୟ କରାଯାଇଛି। ଏଥିସହିତ ସର୍ବାଧିକ ୩୦ କି.ମି. ଫାୟାରିଂ ରେଞ୍ଜ୍‌ ଏବଂ ମିନିଟ୍‌କୁ ୬ ରାଉଣ୍ଡ ହାରରେ ଫାୟାରିଂ କରୁଥିବା ଏସ୍‌ଏଚ୍‌-୧୫ ତୋପ ମଧ୍ୟ ପରୀକ୍ଷା କରାଯାଇଛି।

ସେହିପରି ୨୪ କି.ମି. ଫାୟାରିଂ ରେଞ୍ଜ୍‌ ଏବଂ ୪୦ ସେକେଣ୍ଡରେ ୬ ରାଉଣ୍ଡ ଫାୟାରିଂ କରୁଥବା ଏମ୍‌୧୦୯ ତୋପ ପଶ୍ଚିମ ୟୁରୋପୀୟ ଦେଶରୁ ପାକିସ୍ତାନ କିଣିଥିବା ବେଳେ ଏହାର ଭର୍ସନ ବଢ଼ାଇବା ପାଇଁ ପରୀକ୍ଷା ନିରୀକ୍ଷା ଚାଲିଛି। ତୁର୍କୀ ପାକିସ୍ତାନକୁ ଆଧୁନିକ ୧୦୫ ଏମ୍‌ଏମ୍‌ ଆର୍ଟିଲେରି ଦେଇଛି। ଏଲ୍‌ଓସିରେ ପାକିସ୍ତାନର ସାମରିକ ସାମର୍ଥ୍ୟ ବୃଦ୍ଧିରେ ଚାଇନା ସହାୟତା କରୁଛି। ସେଠାରେ ଚାଇନା ଉନ୍ନତମାନର ବଙ୍କର ନିର୍ମାଣ କରିବା ସହ ମାନବବିହୀନ ଏରିଏଲ୍‌ ଭେହିକଲ୍‌ (ୟୁଏଭି), ଲଢ଼ୁଆ ଏରିଏଲ ଭେହିକଲ୍‌, ଅତ୍ୟାଧୁନିକ ଯୋଗାଯୋଗ ସିଷ୍ଟମ୍‌ ଯୋଗାଇ ଦେଉଛି। ଚଳିତ ବର୍ଷ ଆରମ୍ଭରେ ଚାଇନାର ନର୍ଥ ଇଣ୍ଡଷ୍ଟ୍ରିଜ୍‌ ଗ୍ରୁପ୍‌ କର୍ପୋରେଶନ ଲିଃ ଇସ୍‌ଲାମାବାଦକୁ ୫୬ଟି ଏସ୍‌ଏଚ୍‌-୧୫ ତୋପ ଯୋଗାଇ ଦେଇଥିଲା।

Share