ଲାଇଭ୍‌ ଶୋ’ବେଳେ ଏମ୍‌ପିଙ୍କ କଲର୍‌ ଧରି ଚାପୁଡା ମାରିଲେ ମହିଳା ନେତ୍ରୀ

ଇସଲମାବାଦ,୧୦।୬: ଆଜିକାଲି ନ୍ୟୁଜ୍‌ ଚ୍ୟାନେଲଗୁଡିକରେ ବିତର୍କ ସମୟରେ ପ୍ୟାନେଲିଷ୍ଟମାନଙ୍କ ମଧ୍ୟରେ ତୀବ୍ର ବିତର୍କ ସାଧାରଣ କଥା ହୋଇଗଲାଣି। ପାକିସ୍ତାନରେ ଏହାର ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି। ପାକିସ୍ତାନର ଏକ ନ୍ୟୁଜ ଚ୍ୟାନେଲରେ ଲାଇଭ ଶୋ’ରେ ବିତର୍କ ସମୟରେ ଶାସକ ଦଳର ଜଣେ ମହିଳା ନେତ୍ରୀ ଏତେ ରାଗିଯାଇଥିଲେ ଯେ, ବିପକ୍ଷ ଏମ୍‌ପିଙ୍କୁ ଚାପୁଡା ମାରିବାକୁ ପଛାଇ ନ ଥିଲେ। ଟିଭି ବିତର୍କରେ ଏହି ଲଢେଇର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ପାକିସ୍ତାନର ଲୋକମାନେ ଏହାକୁ ସମାଲୋଚନା କରୁଛନ୍ତି। ପାକିସ୍ତାନର ଏକ ଘରୋଇ ଚ୍ୟାନେଲରେ ରାଜନୈତିକ ପ୍ରସଙ୍ଗ ଉପରେ ବିତର୍କ ଚାଲିଥିଲା। ଏଥିରେ ଶାସକ ତଥା ବିରୋଧୀ ଦଳର ନେତାମାନେ ଉପସ୍ଥିତ ଥିଲେ। ବିତର୍କ ସମୟରେ ସେଠାରେ ଉପସ୍ଥିତ ଥିବା ପଞ୍ଜାବ ମୁଖ୍ୟମନ୍ତ୍ରୀଙ୍କ ସ୍ବତନ୍ତ୍ର ସହାୟକ (ସୂଚନା) ଡା. ଫିରଦୋସ ଆଶିକ ଆୱାନ ବିରୋଧୀ ପିପିପି ଏମଏନଏ ଏମ୍‌ପି କାଦିର ମନ୍ଦୋଖେଲଙ୍କ ସହ ଯୁକ୍ତିତର୍କ କରିଥିଲେ। ଦୁହିଁଙ୍କ ମଧ୍ୟରେ ଯୁକ୍ତିତର୍କ ଏତେ ଅଧିକ ହେଲା ଯେ କାଦିରଙ୍କ କଲର୍‌ ଧରି ଚାପୁଡ଼ା ମାରିଥିଲେ ଆଓ୍ବାନ। ଖୁବ ଶୀଘ୍ର ଏହି ଭିଡିଓ କ୍ଲିପ ସୋସିଆଲ ମିଡିଆରେ ଭାଇରାଲ ହେଲା। ଦୁର୍ନୀତି ପ୍ରସଙ୍ଗରେ ଦୁଇ ନେତାଙ୍କ ମଧ୍ୟରେ ବିତର୍କ ହୋଇଥିଲା ।

Share