ଚାଇନାର ଧମକ ପରେ ବକେୟା ବିଦ୍ୟୁତ୍‌ ବିଲ୍‌ ପୈଠ କରିବ ପାକିସ୍ତାନ…

ଇସଲାମାବାଦ, ୧୦।୯ : ଆସନ୍ତା ସପ୍ତାହରୁ ଚାଇନା-ପାକିସ୍ତାନ ଅର୍ଥନୈତିକ କରିଡର ଅଧୀନରେ ସ୍ଥାପିତ ସ୍ବତନ୍ତ୍ର ବିଦ୍ୟୁତ ଶକ୍ତି ଉତ୍ପାଦକ (ଆଇପିପି) ମାନଙ୍କୁ ଦେୟ ଆରମ୍ଭ କରିବାକୁ ପାକିସ୍ତାନ ସରକାର ଘୋଷଣା କରିଛନ୍ତି। ଚାଇନାର ଧମକ ପରେ ପାକିସ୍ତାନ ସରକାର ଏଭଳି କରିବାକୁ ନିଷ୍ପତ୍ତି ଗ୍ରହଣ କରିଛନ୍ତି। ଶନିବାର ସ୍ଥାନୀୟ ଗଣମାଧ୍ୟମକୁ ସରକାରଙ୍କ ପକ୍ଷରୁ ଏସମ୍ପର୍କିତ ସୂଚନା ପ୍ରଦାନ କରାଯାଇଛି।

ଡନ ଖବରକାଗଜ ରିପୋର୍ଟ କରିଛି ଯେ ଚାଇନାର ନିବେଶକଙ୍କ ସନ୍ତୁଷ୍ଟ କରିବା ପାଇଁ ସରକାର ସମଗ୍ର ଆର୍ଥିକ ବର୍ଷ ପାଇଁ ନିୟମିତ ମାସିକ ଦେୟ ପାଇଁ ଏକ କାର୍ଯ୍ୟସୂଚୀ ସ୍ଥିର କରିଛନ୍ତି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ପାକିସ୍ତାନର ସେଣ୍ଟ୍ରାଲ ପାୱାର କ୍ରୟ ଏଜେନ୍ସି (ସିପିପିଏ) ଚାଇନାର ଆଇପିପି ଉପରେ ପ୍ରାୟ ୨୬ ହଜାର କୋଟି ଟଙ୍କାର ବିଦ୍ୟୁତ ଦେୟ ବକେୟା ରହିଛି।

ପାକିସ୍ତାନ ସରକାର ଚାଇନା କମ୍ପାନୀମାନଗୁଡ଼ିକୁ ଆଶ୍ୱାସନା ଦେଇଛନ୍ତି ଯେ, ବର୍ଷ ବର୍ଷ ଧରି ବିଚାରାଧୀନ ଆକାଉଣ୍ଟଗୁଡିକର ସମସ୍ୟାର ଶୀଘ୍ର ସମାଧାନ ହେବ। ଚାଇନାର ଆଇପିପିର ସମସ୍ତ ହିତାଧିକାରୀ ଏବଂ ସିଇଓଙ୍କ ବୈଠକରେ ଅର୍ଥମନ୍ତ୍ରୀ ଇସମାଇଲ ନିବେଶକମାନଙ୍କୁ ଆଶ୍ୱାସନା ଦେଇଛନ୍ତି ଯେ ଚାଇନାର ନିବେଶକଙ୍କ ଦେୟ ଶୀଘ୍ର ପୈଠ କରାଯିବ। ଏନେଇ ପ୍ରଧାନମନ୍ତ୍ରୀ ଶହବାଜ ଶରିଫ ଉପଯୁକ୍ତ କାର୍ଯ୍ୟପନ୍ଥା ଗ୍ରହଣ ଉପରେ ଗୁରୁତ୍ୱାରୋପ କରିଛନ୍ତି।

Share