Categories: ଜାତୀୟ

ସୀମାରେ ୫୧୦୦ ଥର ଅସ୍ତ୍ରବିରତି ଉଲ୍ଲଂଘନ କରିଛି ପାକିସ୍ତାନ: ୧୮ ବର୍ଷ ମଧ୍ୟରେ ସର୍ବାଧିକ

ଶ୍ରୀନଗର,୩୦।୧୨: ଜମ୍ମୁ-କଶ୍ମୀରର ଭାରତ ପାକିସ୍ତାନ ନିୟନ୍ତ୍ରଣ ରେଖାରେ ଉତ୍ତେଜନା ଜାରି ରହିଛି। ଭାରତରେ ଆତଙ୍କବାଦୀଙ୍କୁ ଅନୁପ୍ରବେଶ କରାଇବା ଉଦ୍ଦେଶ୍ୟରେ ପାକିସ୍ତାନ ପକ୍ଷରୁ ଲଗାତାର ଅସ୍ତ୍ରବିରତି ଉଲ୍ଲଂଘନ କରାଯାଉଛି। ଚଳିତ ୨୦୨୦ ବର୍ଷରେ ବର୍ତ୍ତମାନ ସୁଦ୍ଧା ପାକିସ୍ତାନ ୫୧୦୦ ଥର ଅସ୍ତ୍ରବିରତି ଉଲ୍ଲଂଘନ କରିଛି। ଗତ ୧୭ ବର୍ଷ ମଧ୍ୟରେ ଏହା ସର୍ବାଧିକ ବୋଲି କୁହାଯାଉଛି। ୨୦୦୩ରେ ଭାରତ ପାକିସ୍ତାନ ମଧ୍ୟରେ ଅସ୍ତ୍ରବିରତି ଚୁକ୍ତି ହୋଇଥିଲା। ତେବେ ପାକିସ୍ତାନ ଲଗାତାର ଏହାର ଉଲ୍ଲଂଘନ ଜାରି ରଖିଛି। ୨୦୧୯ରେ ୩୨୮୯ ଥର ଏଲ୍‌ଓସିରେ ଏଭଳି ଘଟଣା ଘଟିଥିଲା। ଅଗଷ୍ଟ ୫ରେ ଅନୁଚ୍ଛେଦ ୩୭୦ର ଉଚ୍ଛେଦ ପରେ ପାକିସ୍ତାନ ଜାଣିଶୁଣି ୧୫୬୫ ଥର ଅସ୍ତ୍ରବିରତି ଉଲ୍ଲଂଘନ କରିଥିଲା। ୨୦୨୦ରେ ହୋଇଥିବା ଅସ୍ତ୍ରବିରତି ଉଲ୍ଲଂଘନ ଘଟଣାରେ ୧୨ ଜଣ ଭାରତୀୟଙ୍କ ଜୀବନ ଯାଇଛି। ସେହିପରି ୨୪ ଜଣ ଯବାନ ଶହୀଦ୍‌ ହୋଇଛନ୍ତି। ୧୩୬ ଜଣ ଏହା ଯୋଗୁ ଆହତ ହୋଇଥିବା ପ୍ରତିରକ୍ଷା ବିଭାଗ ପକ୍ଷରୁ କୁହାଯାଇଛି।

Share