Categories: ଜାତୀୟ

ପୁଣି ଅସ୍ତ୍ରବିରତି ଉଲ୍ଲଂଘନ କଲା ପାକିସ୍ତାନ : ମାନକୋଟ ସେକ୍ଟରରେ ମୋର୍ଟାର ଶେଲିଂ ମାଡ଼, ୨୯ ଦିନରେ ୪୫ ଥର

ଶ୍ରୀନଗର, ୨୯।୯: ଜମ୍ମୁ-କଶ୍ମୀରର ନିୟନ୍ତ୍ରଣ ରେଖାର ପୁଞ୍ଚ୍‌ ଜିଲାରେ ମଙ୍ଗଳବାର ଭୋର୍‌ ୪ଟା ୩୦ରେ ପୁଣି ପାକିସ୍ତାନ ଅସ୍ତ୍ରବିରତି ଉଲ୍ଲଂଘନ କରିଛି। ପାକିସ୍ତାନ ଫରଓ୍ବାର୍ଡ ପୋଷ୍ଟ ଗୁଡ଼ିକରୁ ଭାରତୀୟ ପୋଷ୍ଟକୁ ଲକ୍ଷ୍ୟ କରି ମୋର୍ଟାର ଶେଲିଂ ମାଡ଼ କରାଯାଇଛି। ମାନକୋଟ ସେକ୍ଟରରେ ପାକିସ୍ତାନ ପଟୁ ଘନଘନ ମୋର୍ଟାର ଶେଲିଂ ମାଡ଼ କରାଯାଇଛି। ମୋର୍ଟାର ଶେଲିଂ ମାଡ଼ ହେବାରୁ ସୀମାବର୍ତ୍ତୀ ଅଞ୍ଚଳରେ ବାସ କରୁଥିବା ଲୋକେ ଭୟରେ ବଙ୍କର ମଧ୍ୟକୁ ପଶିଯାଇଥିଲେ। ଏହାର ଉତ୍ତରରେ ଭାରତୀୟ ଯବାନଙ୍କ ପକ୍ଷରୁ ପାଲଟା ଗୁଳିମାଡ଼ କରାଯାଇଛି। ନିୟନ୍ତ୍ରଣ ରେଖା ନିକଟରେ ଥିବା ଲଞ୍ଚପ୍ୟାଡ୍‌ରୁ ଭାରତରେ ଆତଙ୍କବାଦୀ ଅନୁପ୍ରବେଶ କରାଇବା ଲାଗି ପାକିସ୍ତାନ ଜାଣିଶୁଣି ଲଗାତାର ଏଭଳି କରୁଥିବା କୁହାଯାଉଛି। ଏଥିରେ ପାକିସ୍ତାନ ଗୋଇନ୍ଦା ସଂସ୍ଥା ଆଇଏସ୍‌ଆଇର ହାତ ଥିବା କୁହାଯାଉଛି। ପାକିସ୍ତାନ ବାରମ୍ବାର ଅସ୍ତ୍ରବିରତି ଉଲ୍ଲଂଘନ କରୁଥିବାରୁ ଏଲ୍‌ଓସିରେ ଉତ୍ତେଜନା ବଢ଼ିବାରେ ଲାଗିଛି। ସୂଚନାଯୋଗ୍ୟ, ଚଳିତ ମାସରେ ସେପ୍ଟେମ୍ବର ୧ଠାରୁ ୨୯ ମଧ୍ୟରେ ବର୍ତ୍ତମାନ ସୁଦ୍ଧା ପାକିସ୍ତାନ ୪୫ ଥର ଅସ୍ତ୍ରବିରତି ଉଲ୍ଲଂଘନ କରିଥିବା ଭାରତୀୟ ପ୍ରତିରକ୍ଷା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

Share