Categories: ଖେଳ

ଟି-୨୦ ଓ୍ବାଲର୍‌ଡକପ ଖେଳିବାକୁ ଭାରତ ଆସିବ ପାକିସ୍ତାନ: ଭିଜା ଜାରି ପାଇଁ ସ୍ବରାଷ୍ଟ୍ର ମନ୍ତ୍ରଣାଳୟର ଅନୁମତି…

ନୂଆଦିଲ୍ଲୀ,୭।୧୨ : ଭାରତରେ ଅନୁଷ୍ଠିତ ହେବାକୁ ଥିବା ଦୃଷ୍ଟିବାଧିତ କ୍ରିକେଟ ଟି-୨୦ ବିଶ୍ୱକପ ୨୦୨୨ରେ ପାକିସ୍ତାନର ଖେଳାଳିମାନେ ଶେଷରେ ଭାରତ ଆସିବାକୁ ଭିଜା ସମ୍ବନ୍ଧୀୟ ଅନୁମତି ପାଇଛନ୍ତି। ଭାରତରେ ଅନୁଷ୍ଠିତ ହେବାକୁ ଥିବା ବିଶ୍ୱକପ ପାଇଁ ପାକିସ୍ତାନ କ୍ରିକେଟ ଦଳର ୩୪ ଖେଳାଳି ଏବଂ ଅଧିକାରୀଙ୍କୁ ଭିଜା ପ୍ରଦାନକୁ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ଅନୁମୋଦନ କରିଛି। ବର୍ତ୍ତମାନ ବହିର୍ବ୍ୟାପାର ମନ୍ତ୍ରଣାଳୟ ପାକିସ୍ତାନୀ ଦଳକୁ ଭିଜା ପ୍ରଦାନ କରିବାରେ ସକ୍ଷମ ହେବେ।

ବାସ୍ତବରେ ଏହା ପୂର୍ବରୁ ଭାରତ ପାକିସ୍ତାନ ଦୃଷ୍ଟି ବାଧିତ କ୍ରିକେଟ ଦଳକୁ ଭିଜା ଦେବାକୁ ମନା କରିଦେଇଥିଲା। ଏ ସମ୍ପର୍କରେ ଦୃଷ୍ଟି ବାଧିତ କ୍ରିକେଟ ଫେଡେରେଶନ ଅଫ ଇଣ୍ଡିଆ କହିଥିଲା ଯେ ପାକିସ୍ତାନର ଭିଜା ପ୍ରତ୍ୟାଖ୍ୟାନ କରାଯାଇଛି। ସେମାନେ ବିଶ୍ୱକପରେ ଭାଗ ନେବାକୁ ଆସୁନାହାଁନ୍ତି। ଏଥି ସହିତ, ଏହା ପରେ ପାକିସ୍ତାନ ଏ ସମ୍ପର୍କରେ ପ୍ରଶ୍ନ ଉଠାଇଥିଲା। ପାକିସ୍ତାନ କ୍ରିକେଟ ପରିଷଦ କହିଥିଲା ଯେ କ୍ରୀଡା ଆଞ୍ଚଳିକ ରାଜନୀତିଠାରୁ ଅଧିକ ହେବା ଉଚିତ ଏବଂ ମେଗା କ୍ରୀଡା ଇଭେଣ୍ଟରେ ନ୍ୟାୟ ଦିଆଯିବା ଉଚିତ।

ସ୍ବରାଷ୍ଟ୍ର ମନ୍ତ୍ରଣାଳୟର ଅଧିକାରୀ କହିଛନ୍ତି ଯେ ୩୪ ସଦସ୍ୟ ବିଶିଷ୍ଟ ପାକିସ୍ତାନ କଣ୍ଟିଜେଣ୍ଟକୁ ଭିଜା ପ୍ରଦାନ ପାଇଁ ଅନୁମତି ଦିଆଯାଇଛି। ଭିଜା ଦେବା ସ୍ବରାଷ୍ଟ୍ର ମନ୍ତ୍ରଣାଳୟର କାମ ନୁହେଁ। ଏଥି ସହ ଦୃଷ୍ଟି ବାଧିତ କ୍ରିକେଟ ଫେଡେରେଶନ ଅଫ ଇଣ୍ଡିଆର ଅଧ୍ୟକ୍ଷ ଜି.କେ ମହନ୍ତେଶ ଟୁଇଟ କରି କହିଛନ୍ତି ଯେ ଏହା ଏକ ଖୁସି ଖବର ଏବଂ ଖୁବ ଶୀଘ୍ର ପାକିସ୍ତାନ କ୍ରିକେଟ ଦଳ ଆମ ସହ ଯୋଗଦେବେ ବୋଲି ଆଶା କରାଯାଉଛି। ଏଥିପାଇଁ ସେ ଭାରତ ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି।

Share