ପାକିସ୍ତାନକୁ ମିଳିବ ନୂଆ ସେନାମୁଖ୍ୟ

ଇସଲାମାବାଦ,୧୭ା୯: ପାକିସ୍ତାନର ପ୍ରତିରକ୍ଷା ମନ୍ତ୍ରୀ ଖାଓ୍ବାଜା ଆସିଫ୍‌ ଶନିବାର କହିଛନ୍ତି ଯେ, ନଭେମ୍ବରରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ଶରିଫ୍‌ ଏକ ନୂଆ ସେନା ମୁଖ୍ୟ ନିଯୁକ୍ତ କରିବେ। ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ନିର୍ବାଚନ ପରେ ନୂତନ ସରକାରଙ୍କ ଦ୍ୱାରା ଦେଶର ପରବର୍ତ୍ତୀ ସେନା ମୁଖ୍ୟ ନିଯୁକ୍ତ କରିବାକୁ ଦାବି କରିବାର କିଛି ଦିନ ପରେ ପ୍ରତିରକ୍ଷା ମନ୍ତ୍ରୀ ଆସିଫ୍‌ ଏହି ମନ୍ତବ୍ୟ ଦେଇଛନ୍ତି। ଏକ ଖବରଦାତା ସମ୍ମିଳନୀକୁ ସମ୍ବୋଧିତ କରି ପ୍ରତିରକ୍ଷା ମନ୍ତ୍ରୀ ଏକ ପ୍ରଶ୍ନର ଉତ୍ତରରେ କହିଛନ୍ତି ଯେ, ନଓ୍ବାଜ ଶରିଫ୍‌ ଏହି ରାଜନୈତିକ ଦାୟିତ୍ୱକୁ ୪ ଥର ପୂରଣ କରିଛନ୍ତି ଏବଂ ଶେହବାଜ ଶରିଫ୍‌ ନଭେମ୍ବରରେ ଏହି ଦାୟିତ୍ୱ ପାଳନ କରିବେ। ସେ କହିଛନ୍ତି, ପାକିସ୍ତାନର ସମ୍ବିଧାନରେ ସେନା ମୁଖ୍ୟଙ୍କ ନିଯୁକ୍ତିକୁ ନେଇ ନୀତି ଅତ୍ୟନ୍ତ ସ୍ପଷ୍ଟ। ତେବେ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଏହାକୁ ଏକ ବିବାଦୀୟ ପ୍ରସଙ୍ଗ କରିବାକୁ ଚେଷ୍ଟା କରୁଛନ୍ତି।

ସେ ଆହୁରି ମଧ୍ୟ କହିଛନ୍ତି, ସେନା ମୁଖ୍ୟଙ୍କ ନିଯୁକ୍ତିକୁ ବିବାଦୀୟ କରିବାକୁ ଇମ୍ରାନ ଚାହୁଁଛନ୍ତି। ସେନା ମୁଖ୍ୟଙ୍କ ସମ୍ବିଧାନ ତଥା ଅନୁଷ୍ଠାନ ପ୍ରତି ବିଶ୍ୱସ୍ତତା ଉପରେ କୌଣସି ସନ୍ଦେହ ନାହିଁ। ରାଜନୀତି ଅଲଗା। ତଥାପ ଅନୁଷ୍ଠାନଗୁଡିକ ବିବାଦୀୟ ହେବା ଉଚିତ ନୁହେଁ। ଅନ୍ୟପକ୍ଷରେ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଏକ ସାକ୍ଷାତକାରରେ କହିଥିଲେ, ସରକାର ଜଣେ ନୂତନ ସେନା ମୁଖ୍ୟ ନିଯୁକ୍ତ କରିବାରେ ଦକ୍ଷ ନୁହନ୍ତି ଏବଂ ଏହି ପ୍ରସଙ୍ଗ ପରବର୍ତ୍ତୀ ସରକାରଙ୍କୁ ଛାଡ଼ି ଦିଆଯିବା ଉଚିତ। ଇମ୍ରାନ ମଧ୍ୟ ଦେଶରେ ନୂତନ ନିର୍ବାଚନ ପାଇଁ ଦାବି କରିଛନ୍ତି।

Share