ପାକିସ୍ତାନ ହରାଇବ ଅଣନାଟୋ ମିତ୍ର ପରିଚୟ

ଓ୍ବାଶିଂଟନ, ୫।୧(ପି.ଟି.): ଆମେରିକାରେ କରୋନା ମହାମାରୀ ସଙ୍କଟ ଓ ରାଜନୈତିକ ଅନିଶ୍ଚିତତା ମଧ୍ୟରେ ରବିବାର ୧୧୭ତମ କଂଗ୍ରେସ ଆରମ୍ଭ ହୋଇଛି। ଏହାର ପ୍ରଥମ ଦିନରେ ପାକିସ୍ତାନକୁ ବୃହତ୍‌ ଅଣନାଟୋ ମିତ୍ର ପଦରୁ ହଟାଇବା ପାଇଁ ହାଉସ୍‌ ଅଫ୍‌ ରିପ୍ରେଜେଣ୍ଟେଟିଭ୍‌ରେ ବିଲ୍‌ ଆଗତ ହୋଇଛି। ରିପବ୍ଲିକାନ ସଦସ୍ୟ ଆଣ୍ଡି ବିଗ୍‌ସ ଉକ୍ତ ବିଲ୍‌ ଆଣିଛନ୍ତି। ଅଣନାଟୋ ମିତ୍ର ପଦବୀ ପାଇଁ ପାକିସ୍ତାନ ଆମେରିକାଠାରୁ ଅଧିକ ପ୍ରତିରକ୍ଷା ସରଞ୍ଜାମ ଓ ଅନ୍ୟାନ୍ୟ ସହାୟତା ପାଇଆସୁଛି ଏବଂ ସାମୂହିକ ପ୍ରତିରକ୍ଷା ଗବେଷଣା ଓ ବିକାଶ ପ୍ରକଳ୍ପରେ ଭାଗନେଇପାରୁଛି। ହକାନି ନେଟଓ୍ବର୍କ ପାଇଁ ପାକିସ୍ତାନ ନିରାପଦ ଭୂସ୍ବର୍ଗ ପାଲଟିଛି। ଏହା ବିରୋଧରେ ଇସ୍‌ଲାମାବାଦ ଉଲ୍ଲେଖନୀୟ ସାମରିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିବା ରାଷ୍ଟ୍ରପତି ସ୍ବୀକୃତି ନ ଦେବା ପର୍ଯ୍ୟନ୍ତ ଏହାକୁ ବୃହତ୍‌ ଅଣନାଟୋ ସହଯୋଗୀ ପଦ ମିଳିପାରିବ ନାହିଁ ବୋଲି ବିଲ୍‌ରେ କୁହାଯାଇଛି। ଏହି ପଦବୀ ଫେରିପାଇବାକୁ ହେଲେ ପାକ୍‌ ସରକାର ଆଫଗାନିସ୍ତାନ ସହ ମିଳିତ ଭାବେ ହକାନି ନେଟ୍‌ଓ୍ବର୍କ ଆତଙ୍କବାଦୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଥିବାର ରାଷ୍ଟ୍ରପତି ସାର୍ଟିଫିକେଟ ହାସଲ କରିବାକୁ ହେବ।
୨୦୦୪ରେ ବୁଶ୍‌ ପ୍ରଶାସନ ପାକିସ୍ତାନକୁ ବୃହତ୍‌ ଅଣନାଟୋ ମିତ୍ର ଭାବେ ସାମିଲ କରିଥିଲା। ବର୍ତ୍ତମାନ ସୁଦ୍ଧା ୧୭ ଦେଶକୁ ଏହି ପଦ ମିଳିଛି। ଶେଷ ରାଷ୍ଟ୍ର ଭାବେ ବ୍ରାଜିଲକୁ ୨୦୧୯ରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଉକ୍ତ ମାନ୍ୟତା ପ୍ରଦାନ କରିଛନ୍ତି। ଏହି ପଦବୀ ପାଇଥିବା ଦେଶଗୁଡ଼ିକ ସ୍ବଳ୍ପ ଦେୟ ଦେଇ ସମବାୟିକ ଗବେଷଣା ଓ ବିକାଶ ପ୍ରକଳ୍ପରେ ଭାଗ ନେଇଥାନ୍ତି। ଏଥିସହିତ କେତେକ ଆତଙ୍କବାଦ ନିରୋଧୀ ଉପକ୍ରମରେ ସାମିଲ ହୋଇଥାନ୍ତି । ପ୍ରାଥମିକତା ଭିତ୍ତିରେ ଉକ୍ତ ଦେଶଗୁଡ଼ିକୁ ସାମରିକ ଉପକରଣ ଯୋଗାଇଦିଆଯାଇଥାଏ। ଏହିପରି ଅନେକ ସୁବିଧା ଉକ୍ତ ରାଷ୍ଟ୍ରଗୁଡ଼ିକ ଆମେରିକାଠାରୁ ପାଇଥାନ୍ତି। ତେବେ ରାଷ୍ଟ୍ରପତି ଟ୍ରମ୍ପ୍‌ ୨୦୧୮ ଜାନୁୟାରୀରେ ପାକିସ୍ତାନକୁ ସମସ୍ତ ଆର୍ଥିକ ଓ ସୁରକ୍ଷା ସହାୟତା ବନ୍ଦ କରିଦେଇଥିଲେ। ଏବେ ଏହାକୁ ବୃହତ ଅଣନାଟୋ ମିତ୍ର ପଦରୁ ବାଦ୍‌ ଦେବାକୁ ଟ୍ରମ୍ପ୍‌ ପ୍ରଶାସନ ବିଚାର କରୁଛି। ତତ୍କାଳୀନ ରାଷ୍ଟ୍ରପତି ବାରାକ ଓବାମାଙ୍କ ପ୍ରଶାସନ ଭାରତକୁ ବୃହତ୍‌ ପ୍ରତିରକ୍ଷା ସହଯୋଗୀ ମାନ୍ୟତା ପ୍ରଦାନ କରିଥିଲା।
ନୂଆ ଆମେରିକା କଂଗ୍ରେସ ଆରମ୍ଭ ହେବା ସହ ବରିଷ୍ଠ ଡେମୋକ୍ରାଟିକ୍‌ ସଦସ୍ୟା ନାନ୍‌ସି ପେଲୋସି ଚତୁର୍ଥ ଥର ପାଇଁ ହାଉସ୍‌ ଅଫ୍‌ ରିପ୍ରେଜେଣ୍ଟେଟିଭ୍‌ସର ସ୍ପିକର ନିର୍ବାଚିତ ହୋଇଛନ୍ତି। ରିପବ୍ଲିକାନ ସଦସ୍ୟ କେଭିନ୍‌ ମାକାର୍ଥତ୍ଙ୍କ ସହ ତାଙ୍କର ଜୋର୍‌ଦାର ପ୍ରତିଦ୍ୱନ୍ଦ୍ୱିତା ହୋଇଥିଲା। ଏଥିରେ ନାନ୍‌ସିଙ୍କୁ ୨୧୬ ଓ କେଭିନ୍‌ଙ୍କୁ ୨୦୯ ଖଣ୍ଡ ଭୋଟ ମିଳିଥିଲା।
ଆମେରିକା କଂଗ୍ରେସ ‘ମାଲାଲା ୟୁସୁଫ୍‌ଜାଇ ସ୍କଲାରଶିପ୍‌ ଆକ୍ଟ’କୁ ଅନୁମୋଦନ କରିଛି। ଫଳରେ ଉଚ୍ଚଶିକ୍ଷା ପାଇଁ ଅଧିକ ସଂଖ୍ୟାରେ ପାକିସ୍ତାନୀ ମହିଳାଙ୍କୁ ମେଧାବୃତ୍ତି ଉପଲବ୍ଧ ହେବ। ୨୦୨୦ ମାର୍ଚ୍ଚରେ ହାଉସ୍‌ ଅଫ୍‌ ରିପ୍ରେଜେଣ୍ଟେଟିଭ୍‌ରେ ଉକ୍ତ ବିଲ୍‌ ଗୃହୀତ ହୋଇଥିବାବେଳେ ଜାନୁୟାରୀ ୧ରେ ସିନେଟ ଅନୁମୋଦନ କରିଥିଲା। ରାଷ୍ଟ୍ରପତି ଟ୍ରମ୍ପ୍‌ଙ୍କ ମଞ୍ଜୁରୀ ପରେ ଏହା ଆଇନରେ ପରିଣତ ହେବ।

Share