Categories: ଖେଳ

ପାକିସ୍ତାନ ୫ ଉଇକେଟରେ ବିଜୟୀ

ଦୁବାଇ,୫ା୯ : ମହମ୍ମଦ ରିଜଓ୍ବାନଙ୍କ ବିସ୍ଫୋରକ ବ୍ୟାଟିଂ ସହାୟତାରେ ପାକିସ୍ତାନ ରବିବାର ଅନୁଷ୍ଠିତ ଏସିଆ କପ୍‌ କ୍ରିକେଟ ଟୁର୍ନାମେଣ୍ଟର ସୁପର ଫୋର ମ୍ୟାଚରେ ଭାରତକୁ ୫ ଉଇକେଟରେ ପରାସ୍ତ କରିଛି। ଭାରତ ୨୦ ଓଭରରେ ୭ ଉଇକେଟ ହରାଇ ୧୮୧ ରନ କରିଥିବାବେଳେ ପାକିସ୍ତାନ ୧୯.୫ ଓଭରରେ ୫ ଉଇକେଟ ହରାଇ ୧୮୨ ରନ ସଂଗ୍ରହ କରି ନେଇଥିଲା। ଶେଷ ୨ ଓଭରରୁ ବିଜୟ ପାଇଁ ପାକିସ୍ତାନକୁ ୨୬ ରନ ଆବଶ୍ୟକ ହେଉଥିଲା। ୧୯ତମ ଓଭରରେ ଭୁବନେଶ୍ୱର କୁମାର ୧୯ ରନ ଦେବାରୁ ଭାରତ ହାତରୁ ମ୍ୟାଚ ଖସି ଯାଇଥିଲା। ରିଜଓ୍ବାନ ୫୧ ବଲ୍‌ରୁ ସର୍ବାଧିକ ୭୧ (୬ ଚୌକା, ୨ ଛକା), ମହମ୍ମଦ ନଓ୍ବାଜ ୨୦ ବଲ୍‌ରୁ ୪୨ (୬ ଚୌକା, ୨ ଛକା) ରନକରି ପାକିସ୍ତାନ ବିଜୟରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଇଥିଲେ। ଲିଗ୍‌ ମ୍ୟାଚରେ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ଭାରତଠାରୁ ହାରିଥିବା ପାକିସ୍ତାନ ଏଠାରେ ବିଜୟୀ ହେବା ସହ ପରାଜୟର ମଧୁର ପ୍ରତିଶୋଧ ନେଇଛି।
ଟସ୍‌ ହାରି ବ୍ୟାଟିଂ ଆମନ୍ତ୍ରଣ ପାଇଥିବା ଭାରତ ପକ୍ଷରୁ ଲୋକେଶ ରାହୁଲ (୨୮) ଓ ରୋହିତ ଶର୍ମା(୨୮) ଭଲ ଆରମ୍ଭ କରିଥିଲେ। ୫ ଓଭରରେ ଉଭୟ ଖେଳାଳି ୫୪ ରନ ଯୋଡିଥିଲେ। ପ୍ରଥମ ମ୍ୟାଚରେ ପ୍ରଭାବୀ ପ୍ରଦର୍ଶନ କରିଥିବା ନଶିମ ଶାହଙ୍କୁ ଉଭୟ ଆରମ୍ଭରୁ ଟାର୍ଗେଟ କରିଥିଲେ। ଫର୍ମକୁ ଫେରିଥିବା ବିରାଟ କୋହଲି ଗୋଟିଏ ପଟୁ ଦୃଢ ବ୍ୟାଟିଂ କରିଥିବା ବେଳେ ମଧ୍ୟକ୍ରମରେ ଅନ୍ୟ ବ୍ୟାଟରମାନେ ବିଫଳ ହୋଇଥିଲେ। କୋହଲି ନିଜ ଟି୨୦ କ୍ୟାରିୟରର ୩୩ ତମ ଅର୍ଦ୍ଧଶତକ ହାସଲ କରିବା ସହିତ ଭାରତକୁ ସଙ୍କଟରୁ ଉଦ୍ଧାର କରିଥିଲେ। ୪୪ ବଲ ଖେଳି ସେ ୪ ଚୌକା ଓ ୧ ଛକା ସହ ୬୦ ରନ କରିଥିଲେ।
ସଂକ୍ଷିପ୍ତ ସ୍କୋର
ଭାରତ ୨୦ ଓଭରରେ ୭/୧୮୧ (ବିରାଟ କୋହଲି-୬୦, ରୋହିତ ଶର୍ମା-୨୮, ଲୋକେଶ ରାହୁଲ-୨୮, ଶଦାବ ଖାନ୍‌-୨/୩୧, ମହମ୍ମଦ ନଓ୍ବାଜ-୧/୨୫)। ପାକିସ୍ତାନ ୧୯.୫ ଓଭରରେ ୧୮୨/୫ (ମହମ୍ମଦ ରିଜଓ୍ବାନ-୭୧, ମହମ୍ମଦ ନଓ୍ବାଜ-୪୨, ଭୁବନେଶ୍ୱର କୁମାର-୧/୪୦, ଅର୍ଶଦୀପ ସିଂ-୧/୨୭, ରବି ବିଷ୍ଣୋଇ-୧/୨୬, ହାର୍ଦ୍ଦିକ ପାଣ୍ଡ୍ୟା-୧/୪୪, ୟୁଜବେନ୍ଦ୍ର ଚହଲ-୧/୪୩)।

Share