Categories: ଖେଳ

ସ୍ପିନ୍‌ ଖେଳିବାକୁ ନେଇ ଚିନ୍ତାରେ ପାକିସ୍ତାନ

ହାଇଦ୍ରାବାଦ,୧୦ା୧୦: ଦିନିକିଆ ବିଶ୍ୱକପ୍‌ରେ ନେଦରଲାଣ୍ଡ୍ସ ବିପକ୍ଷ ମ୍ୟାଚରେ ବିଜୟୀ ହୋଇଥିଲେ ମଧ୍ୟ ଏହାର ବ୍ୟାଟିଂ ଦୁର୍ବଳତା ପଦାରେ ପଡିଥିଲା। ଶ୍ରୀଲଙ୍କା ବିପକ୍ଷ ମ୍ୟାଚ୍‌ ପୂର୍ବରୁ ସ୍ପିନ ଖେଳିବାକୁ ନେଇ ଚିନ୍ତାରେ ରହିଛି ଦଳ। ନେଦରଲାଣ୍ଡ୍ସର ଅନଭିଜ୍ଞ ସ୍ପିନର ଯେଉଁଭଳି ଭାବରେ ପାକିସ୍ତାନ ବ୍ୟାଟରଙ୍କୁ ଅସୁବିଧାରେ ପକାଇଥିଲେ ଏହାକୁ ଦୃଷ୍ଟିରେ ରଖିଲେ ଶ୍ରୀଲଙ୍କା ଦୃଢ଼ ସ୍ଥିତିରେ ନଜର ଆସୁଛି। ସାଧାରଣତଃ ପାକିସ୍ତାନ ଦଳ ସ୍ପିନ୍‌କୁ ଭଲ ଖେଳିଥାଏ। ମାତ୍ର ବାବର ଆଜମଙ୍କ ଦଳ କ୍ୱାଲିଟି ସ୍ପିନ ଆକ୍ରମଣ ବିପକ୍ଷରେ ସଂଘର୍ଷ କରୁଥିବାର ଦେଖିବାକୁ ମିଳୁଛି। ଶ୍ରୀଲଙ୍କା ସ୍ପିନର ଦିଲ୍ଲୀରେ ଦକ୍ଷିଣ ଆଫ୍ରିକା ବିପକ୍ଷ ମ୍ୟାଚରେ ସାମାନ୍ୟ ମହଙ୍ଗା ସାବ୍ୟସ୍ତ ହୋଇଥିଲେ। ଅନ୍ୟପକ୍ଷରେ ପାକିସ୍ତାନ ବିଗତ ୧୦ ଦିନ ହେବ ହାଇଦ୍ରାବାଦରେ ଅବସ୍ଥାନ କରୁଛି। ଉଭୟ ଅଭ୍ୟାସ ମ୍ୟାଚ୍‌ ସହିତ ନେଦରଲାଣ୍ଡ୍ସ ବିପକ୍ଷ ମ୍ୟାଚ୍‌ ମଧ୍ୟ ଦଳ ରାଜୀବ ଗାନ୍ଧୀ ଇଣ୍ଟରନ୍ୟାଶନାଲ କ୍ରିକେଟ ଷ୍ଟାଡିୟମରେ ଖେଳି ସାରିଛି।

Share