Categories: ଖେଳ

ଭାରତକୁ କ୍ଷମା ମାଗିଲେ ପାକିସ୍ତାନୀ ଆଙ୍କର୍‌

ନୂଆଦିଲ୍ଲୀ, ୧୦ା୧୦: ପାକିସ୍ତାନୀ ଆଙ୍କର୍‌ ଜୈନାବ ଆବାସ ନିଜ ଦେଶକୁ ଫେରିବା ପରେ ପ୍ରଥମ ଥର ପାଇଁ ଭାରତ ଏବଂ ବିଶ୍ୱକପକୁ ନେଇ ନୀରବତା ଭାଙ୍ଗିଛନ୍ତି। କ୍ରିକେଟ ବିଶ୍ୱକପ ୨୦୨୩ରେ ଆଇସିସି ଡିଜିଟାଲ ଦଳର ଏକ ଅଂଶ ଥିବା ଜୈନାବ ଭାରତ ବିରୋଧୀ ପୋଷ୍ଟକୁ ନେଇ ସୋସିଆଲ ମିଡିଆରେ ସମାଲୋଚନାର ସମ୍ମୁଖୀନ ହେବା ପରେ ସେ ଭାରତ ଛାଡିଥିଲେ। ତାଙ୍କ ବିବୃତ୍ତି ପାଇଁ ସେ ଭାରତକୁ କ୍ଷମା ମାଗିଛନ୍ତି।
ମୋ ପୋଷ୍ଟ ଲୋକଙ୍କୁ ଆଘାତ ଦେଇଛି। ଏଥିପାଇଁ ମୁଁ ଦୁଃଖିତ ଏବଂ ସମସ୍ତଙ୍କୁ କ୍ଷମା ମାଗୁଛି। ଭାରତରେ ଯଦିଓ ମୋର ସୁରକ୍ଷା ପ୍ରତି କୌଣସି ବିପଦ ନ ଥିଲା, ସୀମାର ଉଭୟ ପାର୍ଶ୍ୱରେ ଥିବା ମୋ ପରିବାର ଏବଂ ବନ୍ଧୁମାନେ ଚିନ୍ତିତ ଥିଲେ। ଯାହା ଘଟିଲା ତାହା ଉପରେ ପ୍ରତିଫଳନ କରିବା ପାଇଁ ମୋତେ କିଛି ସମୟ ଆବଶ୍ୟକ ଥିଲା। ସେଥିପାଇଁ ମୁଁ ଚୁପ୍‌ ଥିଲି ବୋଲି ସେ କହିଛନ୍ତି।
ଅନ୍ତର୍ଜାତୀୟ ଦିନିକିଆ ବିଶ୍ୱକପ୍ର ପ୍ରସାରଣ କରିବା ପାଇଁ ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ଡିଜିଟାଲ ଟିମ୍‌ର ଅଂଶବିଶେଷ ଥିବା ଜଣେ ପାକିସ୍ତାନୀ ଆଙ୍କର୍‌ ଜୈନାବ ସୋମବାର ଭାରତ ଛାଡ଼ି ନିଜ ଦେଶକୁ ଫେରିଯାଇଛନ୍ତି। ଅତୀତର ତାଙ୍କ ଭାରତ ବିରୋଧୀ ପୋଷ୍ଟକୁ ନେଇ ସୋସିଆଲ ମିଡିଆରେ ତାଙ୍କୁ ତୀବ୍ର ପ୍ରତିକ୍ରିୟାର ସାମ୍ନା କରିବାକୁ ପଡ଼ିଥିଲା। ଏହି ଖବର ପ୍ରକାଶ ପାଇବା ପରେ ସୋସିଆଲ ମିଡିଆରେ ନାନା କଳ୍ପନାଜଳ୍ପନା ପ୍ରକାଶ ପାଇଥିବା ବେଳେ ଆଇସିସି କହିଥିଲା, ଜୈନାବ ବ୍ୟକ୍ତିଗତ କାରଣରୁ ଘରବାହୁଡ଼ା କରିଛନ୍ତି। ତାଙ୍କୁ ପ୍ରତ୍ୟର୍ପଣ କରାଯାଇ ନାହିଁ। ଖବର ଅନୁସାରେ ଜୈନାବ ହାଇଦ୍ରାବାଦରେ ପାକିସ୍ତାନର ବିଶ୍ୱକପ ମ୍ୟାଚ କଭର ପାଇଁ ଆସିଥିଲେ। ଏହି ୩୫ ବର୍ଷୀୟା ଆଙ୍କର୍‌ ଅକ୍ଟୋବର ୬ରେ ହାଇଦ୍ରାବାଦସ୍ଥିତ ରାଜୀବଗାନ୍ଧୀ ଇଣ୍ଟରନ୍ୟାଶନାଲ ଷ୍ଟାଡିୟମରେ ପାକିସ୍ତାନର ନେଦରଲାଣ୍ଡ୍ସ ବିପକ୍ଷ ବିଶ୍ୱକପ ଓପନ ବେଳେ ଉପସ୍ଥିତ ଥିଲେ। ଉପସ୍ଥାପିକା ଜଣକ ଗତ ସପ୍ତାହରେ ହାଇଦ୍ରାବାଦରେ ପହଞ୍ଚି ଥିଲେ। ସେ ବେଙ୍ଗାଲୁରୁ, ଚେନ୍ନାଇ ଓ ଅହମଦାବାଦ ଗସ୍ତ କରିଥାନ୍ତେ, ଯେଉଁଠାରେ ପାକିସ୍ତାନ ମ୍ୟାଚ ଖେଳିବାର କାର୍ଯ୍ୟକ୍ରମ ରହିଛି।

Share