ପାକିସ୍ତାନୀ ସୈନ୍ୟ କରିବେ ଚାଷ: ଅଧିଗ୍ରହଣ କରିବ ୧୦ ଲକ୍ଷ ଏକରରୁ ଅଧିକ ଜମି…

ଇସଲାମାବାଦ,୨୬।୯ : ପାକିସ୍ତାନ ଖରାପ ଆର୍ଥିକ ପରିସ୍ଥିତି ଦେଇ ଗତି କରୁଛି। ଏଠାକାର ଲୋକମାନେ ପ୍ରତ୍ୟେକ ଛୋଟ ଛୋଟ ସୁବିଧା ପାଇଁ ସଂଘର୍ଷ କରୁଛନ୍ତି। ମାସେ ଧରି ଚାଲିଆସୁଥିବା ଆର୍ଥିକ ସଙ୍କଟକୁ ଦୂର କରିବା ପାଇଁ ପାକିସ୍ତାନୀ ସେନା ଅଣ୍ଟା ଭିଡ଼ିଛି। ଏଥିପାଇଁ ସେନା ଦେଶରେ ୧୦ ଲକ୍ଷ ଏକରରୁ ଅଧିକ ଚାଷ ଜମି ଦଖଲ କରିଛି। ବର୍ତ୍ତମାନ ପାକିସ୍ତାନୀ ସେନା ଏହି ଜମିରେ ଚାଷ କରିବାକୁ ଯାଉଛି। ତେବେ ଏହି ପଦକ୍ଷେପ ଦେଶରେ ସୈନ୍ୟବାହିନୀର ବ୍ୟାପକ ଉପସ୍ଥିତିକୁ ନେଇ ଚିନ୍ତା ବଢ଼ାଇଛି।

ନୂତନ ଖାଦ୍ୟ ସୁରକ୍ଷା ଅଭିଯାନ ନୂଆ ବର୍ଷ ଆରମ୍ଭରୁ ଆରମ୍ଭ ହେବ ବୋଲି ରିପୋର୍ଟରେ କୁହାଯାଇଛି। ଏହି କାର୍ଯ୍ୟ ନାଗରିକ ସାମରିକ ନିବେଶ ସଂସ୍ଥା ମାଧ୍ୟମରେ କରାଯିବ। ଏହି ଯୋଜନାର ଉଦ୍ଦେଶ୍ୟ ହେଉଛି ଲିଜ ପ୍ରାପ୍ତ ଜମିରେ ସେନା ଚାଷ ମାଧ୍ୟମରେ ଫସଲ ଉତ୍ପାଦନକୁ ପ୍ରୋତ୍ସାହିତ କରିବ।

ଏହି ଯୋଜନା ଅନୁଯାୟୀ ସେନା ପାକିସ୍ତାନର ପଞ୍ଜାବ ପ୍ରଦେଶରେ ୧୦ ଲକ୍ଷ ଏକର (୪୦୫,୦୦୦ ହେକ୍ଟର) ଜମି ଅଧିଗ୍ରହଣ କରିବ। ଏହା ଦିଲ୍ଲୀ ଠାରୁ ପ୍ରାୟ ତିନି ଗୁଣ ବଡ ଅଟେ। ଏହି ଯୋଜନାକୁ ସମର୍ଥନ କରୁଥିବା ଲୋକମାନେ ଦାବି କରିଛନ୍ତି ଏହାଦ୍ୱାରା ଉତ୍ତମ ଫସଲ ଅମଳ ଏବଂ ଜଳ ସଞ୍ଚୟ କରାଯାଇ ପାରିବ। ବୈଦେଶିକ ମୁଦ୍ରା ଭଣ୍ଡାର ହ୍ରାସ ଏବଂ ଦ୍ରବ୍ୟ ମୂଲ୍ୟ ବୃଦ୍ଧି ମଧ୍ୟରେ ପାକିସ୍ତାନରେ ଏଭଳି ପଦକ୍ଷେପର ଆବଶ୍ୟକତା ରହିଛି।

ଫସଲ ବିକ୍ରୟରୁ ଲାଭର ପ୍ରାୟ ୨୦ ପ୍ରତିଶତ କୃଷି ଅନୁସନ୍ଧାନ ଏବଂ ବିକାଶ ପାଇଁ ଦିଆଯିବ। ବାକି ସବୁ ସାମରିକ ଏବଂ ରାଜ୍ୟ ସରକାର ମଧ୍ୟରେ ସମାନ ଭାବରେ ବଣ୍ଟାଯିବ ବୋଲି ନିକ୍କେ ଏସିଆ ରିପୋର୍ଟ କରିଛି। ତେବେ ଏହି ଯୋଜନା ବିଭିନ୍ନ ବିଭାଗର ସମାଲୋଚନାର ସମ୍ମୁଖୀନ ହେବା ସହିତ ଚ୍ୟାଲେଞ୍ଜର ସମ୍ମୁଖୀନ ହେଉଛି।

Share