Categories: ଖେଳ

ପାକିସ୍ତାନୀ କ୍ରିକେଟରଙ୍କୁ ୧୨ ବର୍ଷ ଜେଲ୍‌

କଲମ୍ବୋ,୧୨ା୯: ଜଣେ ନେତାଙ୍କ ହତ୍ୟାର ସୁପାରି ଦେବା ଅଭିଯୋଗରେ ପୂର୍ବତନ ପାକିସ୍ତାନୀ କ୍ରିକେଟର ଖଲିଦ୍‌ ଲତିଫଙ୍କୁ ୧୨ ବର୍ଷ ଜେଲ ଦଣ୍ଡ। ଇସଲାମ ବିରୋଧରେ ଆଇ ପ୍ରଣୟନକୁ ବିରୋଧ କରି ଲତିଫ୍‌ ୨୧ ହଜାର ୟୁରୋର ସୁପାରି ଦେଇଥିଲେ। ନିଜର ଇସଲାମ ବିରୋଧୀ ମତବାଦ ପାଇଁ ପ୍ରସିଦ୍ଧ ଗିର୍ଟ ଓ୍ବିଲ୍ଡର୍ସଙ୍କ ହତ୍ୟା ପାଇଁ ସୁପାରି ଦେଇଥିବା କାରଣରୁ ନେଦରଲାଣ୍ଡ୍ସର ଏକ କୋର୍ଟ ତାଙ୍କୁ ୧୨ ବର୍ଷର ଜେଲ ଦଣ୍ଡ ପ୍ରଦାନ କରିଛନ୍ତି। ୨୦୧୮ ମସିହାରେ ଓ୍ବିଲ୍ଡର୍ସଙ୍କୁ ହତ୍ୟା କରିବା ପାଇଁ ସେ ଜଣେ ସୁପାରି କିଲରଙ୍କୁ ପଇସା ଦେଉଥିବାର ଭିଡିଓ ଭାଇରାଲ ହୋଇଥିଲା। ୨୦୧୮ରୁ ଏହି ମାମଲାର ଟ୍ରାଏଲ୍ସ ଚାଲିଥିଲା। ସୋମବାର ରାୟ ପ୍ରକାଶ ପାଇବା ସମୟରେ ଲତିଫ୍‌ ଓ ତାଙ୍କ ଓକିଲ କୋର୍ଟରେ ଅନୁପସ୍ଥିତ ଥିଲେ। ୩୭ ବର୍ଷୀୟ ଲତିଫ ପାକିସ୍ତାନ ପାଇଁ ୫ ଦିନିକିଆ ଓ ୧୦ ଟି୨୦ ମ୍ୟାଚ ଖେଳିଛନ୍ତି। ୨୦୧୭ରେ ଏକ ସ୍ପଟ୍‌ ଫିକ୍ସିଂ ମାମଲାରେ ଲତିଫଙ୍କୁ ପାକିସ୍ତାନ କ୍ରିକେଟ ବୋର୍ଡ ୫ ବର୍ଷ ବାସନ୍ଦ କରିଥିଲା। ଏହାପରେ ଜଣେ ଇସଲାମ ପ୍ରଚାରକ ଭାବରେ କାର୍ଯ୍ୟ କରୁଥିଲେ ଲତିଫ୍‌। ଏହି ରାୟ ପ୍ରକାଶ ସମୟରେ ଓ୍ବିଲ୍ଡର୍ସ କୋର୍ଟରେ ଉପସ୍ଥିତ ରହିଥିଲେ। ୨୦୧୮ରେ ମହମ୍ମଦଙ୍କ କାର୍ଟୁନ୍‌ର ଏକ ପ୍ରଦର୍ଶନୀ କରିବା ପାଇଁ ଓ୍ବିଲ୍ଡର୍ସ ଘୋଷଣା କରିବା ପରେ ଲତିଫ୍‌ ତାଙ୍କୁ ହତ୍ୟା ଧମକ ଦେଇଥିଲେ। ଏପରିକି ଜଣେ ସୁପାରି କିଲରକୁ ୨୧ ହଜାର ଡଲାର ମଧ୍ୟ ପ୍ରଦାନ କରିଥିଲେ। ବିଗତ କିଛି ବର୍ଷ ଧରି ଓ୍ବିଲ୍ଡର୍ସ ପୋଲିସ୍‌ ସୁରକ୍ଷା ମଧ୍ୟରେ ଜୀବନ ବିତାଉଛନ୍ତି।

Share