‘ଇଣ୍ଡିଆ ବନାମ ଭାରତ’ ବିବାଦକୁ ନେଇ ପ୍ରତିକ୍ରିୟା ରଖିଲା ପାକିସ୍ତାନୀ ମିଡିଆ, ମୋଦିରାଜରେ ହୋଇଛି କେବଳ ନାମ ପରିବର୍ତ୍ତନ…

ଇସଲାମବାଦ/ନୂଆଦିଲ୍ଲୀ, ୫।୯: ଇଣ୍ଡିଆ ବନାମ ଭାରତକୁ ନେଇ ଜାତୀୟ ରାଜନୀତି ସରଗରମ ରହିଛି। ତେବେ ଦେଶରେ ଏନେଇ ଚର୍ଚ୍ଚା ଜୋର ଧରିଥିବାବେଳେ ପାକିସ୍ତାନୀ ଗଣମାଧ୍ୟମ ମଧ୍ୟ ଏହି ପ୍ରସଙ୍ଗକୁ ଗୁରୁତ୍ୱ ଦେଇଛି। ଭାରତ ନାମ ବ୍ୟବହାର କରି ଧର୍ମ ଆଧାରରେ ପାକିସ୍ତାନୀ ଗଣମାଧ୍ୟମ ମୋଦି ସରକାରଙ୍କୁ ଟାର୍ଗେଟ କରିଛି। ପାକିସ୍ତାନର ଜିଓ ନ୍ୟୁଜ ଚ୍ୟାନେଲ ଏକ ରିପୋର୍ଟ ପ୍ରକାଶ କରିଛି। ରିପୋର୍ଟରେ କୁହାଯାଇଛି ମୋଦି ସରକାର ଅନେକ ସହର ଏବଂ ସ୍ଥାନର ନାମ ପରିବର୍ତ୍ତନ କରିସାରିଛନ୍ତି ଯାହା ମୁସଲିମ ନେତାଙ୍କ ନାମରେ ନାମିତ ହୋଇଛି। ଏଥିସହ ଜି-୨୦ ଦେଶର ମୁଖ୍ୟମାନଙ୍କୁ ପଠାଯାଇଥିବା ନିମନ୍ତ୍ରଣ ପତ୍ରରେ ଇଣ୍ଡିଆ ସ୍ଥାନରେ ଭାରତ ଶବ୍ଦ ବ୍ୟବହାର କରାଯାଇଛି। ଯେହାକୁ ନେଇ ଇଣ୍ଡିଆ ବନାମ ଭାରତ ବିବାଦ ମୁଣ୍ଡ ଟେକିଛି।

ଜିଓ ନ୍ୟୁଜ ଏହାର ରିପୋର୍ଟରେ କହିଛି, ‘ନରେନ୍ଦ୍ର ମୋଦି ସରକାର ଇଣ୍ଡିଆର ନାମ ଭାରତକୁ ବଦଳାଇବାକୁ ଚିନ୍ତା କରୁଛନ୍ତି। ଏନେଇ ଦେଶରେ ଶୀଘ୍ର ଏକ ପ୍ରସ୍ତାବ ଘସଂସଦରେ ଉପସ୍ଥାପିତ ହେବ। ତେବେ ସରକାର ଏପ୍ରସଙ୍ଗକୁ ସଂସଦର ସ୍ବତନ୍ତ୍ର ଅଧିବେଶନରେ ଆଣିପାରନ୍ତି।

ପାକିସ୍ତାନୀ ମିଡିଆ ମୋଦିଙ୍କୁ ଟାର୍ଗେଟ କରି କହିଛି, ମୋଦି ସରକାରଙ୍କ କାର୍ଯ୍ୟକାଳ ମଧ୍ୟରେ ଗତ କିଛି ବର୍ଷ ମଧ୍ୟରେ ଭାରତୀୟ କର୍ତ୍ତୃପକ୍ଷ ଅନେକ ସହର ଏବଂ ସ୍ଥାନର ନାମ ପରିବର୍ତ୍ତନ କରିଛନ୍ତି। ଯାହା ମୁସଲିମ ନେତାଙ୍କ ନାମରେ ନାମିତ ହୋଇଛି। ଭାରତର ସଂଖ୍ୟାଲଘୁମାନେ ଏଥିରେ ଅସନ୍ତୋଷ ଅଛନ୍ତି।

କେବଳ ପାକିସ୍ତାନରେ ନୁହେଁ, ବିଶ୍ୱର ଅନେକ ବିଶ୍ଳେଷକ ଓ ସାମ୍ବାଦିକ ଏହି ବିଷୟରେ ଆଲୋଚନା କରୁଛନ୍ତି। ଋଷିଆର ଜଣେ ସାମ୍ବାଦିକ କହିଛନ୍ତି, ବର୍ତ୍ତମାନ ବ୍ରିକ୍ସର ନାମ ପରିବର୍ତ୍ତନ କରିବାକୁ ପଡିବ। ତୁର୍କୀ ପରେ ଭାରତ ହେଉଛି ଦ୍ୱିତୀୟ ଦେଶ ଯିଏ ଏହାର ନାମ ପରିବର୍ତ୍ତନ କରିପାରିବ।

ସୂଚନାଯୋଗ୍ୟ, ଇଣ୍ଡିଆ ବନାମ ଭାରତକୁ ବିବାଦ ଘନେଇବାରେ ଲାଗିଛି। କେନ୍ଦ୍ର ସରକାର ଓ ବିରୋଧୀ ମେଣ୍ଟ ସଦସ୍ୟ ପରସ୍ପରକୁ ଟାର୍ଗେଟ କରୁଛନ୍ତି। ମଙ୍ଗଳବାର କଂଗ୍ରେସ ଅଭିଯୋଗ ଆଣିଛି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ ସରକାରଙ୍କ ଅଧୀନରେ ‘ୟୁନିଅନ ଅଫ ଷ୍ଟେଟ୍ସ’ ଉପରେ ଆକ୍ରମଣ କରାଯାଉଛି। ସେହିପରି ଜି-୨୦ ରାତ୍ରୀଭୋଜନ ନିମନ୍ତ୍ରଣରେ ରାଷ୍ଟ୍ରପତିଙ୍କୁ ପ୍ରେସିଡେଣ୍ଟ ଅଫ୍‌ ଇଣ୍ଡିଆ ଲେଖିବା ବଦଳରେ ପ୍ରେସିଡେଣ୍ଟ ଅଫ୍‌ ଭାରତ ଲେଖାଯାଇଛି।

Share