ପାକିସ୍ତାନୀ ସାମରିକ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ, ୬ ବରିଷ୍ଠ ଅଧିକାରୀଙ୍କ ମୃତ୍ୟୁ…

ଇସଲାମାବାଦ, ୨।୮ : ବାଲୁଚିସ୍ତାନରେ ବନ୍ୟା ସହାୟତା କାର୍ଯ୍ୟରେ ନିୟୋଜିତ ଥିବା ପାକିସ୍ତାନୀ ସେନାର ହେଲିକପ୍ଟର ଲାସବେଲାରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ଘଟଣାରେ ୬ ଜଣ ବରିଷ୍ଠ ଅଧିକାରୀଙ୍କ ମୃତ୍ୟୁ ଘଟିଛି। ପାକିସ୍ତାନ ଆନ୍ତଃସେବା ଜନସମ୍ପର୍କ ବିଭାଗ ଏସମ୍ପର୍କରେ ସୂଚନା ପ୍ରଦାନ କରିଛି।

ହେଲିକପ୍ଟରରେ ୧୨ କର୍ପସ କମାଣ୍ଡର ଜେନେରାଲ ସରଫରାଜ ଅଲୀ ଏବଂ ଅନ୍ୟ ପାଞ୍ଚଜଣ ବରିଷ୍ଠ ସେନା ଅଧିକାରୀ ଥିଲେ। ବାଲୁଚିସ୍ତାନରେ ଚାଲିଥିବା ବନ୍ୟା ପରିସ୍ଥିତି ଉପରେ ନଜର ରଖିବାରେ ସମସ୍ତେ କାର୍ଯ୍ୟ କରୁଥିଲେ।

ପାକିସ୍ତାନ ଗଣମାଧ୍ୟମ ରିପୋର୍ଟ କରିଛି ଯେ ହେଲିକପ୍ଟରଟି ଏୟାର ଟ୍ରାଫିକ କଣ୍ଟ୍ରୋଲ (ଏଟିସି) ସହିତ ଯୋଗାଯୋଗ ହରାଇଥିଲା।

ସୂଚନାଯୋଗ୍ୟ, ପାକିସ୍ତାନର କିଛି ଅଞ୍ଚଳରେ ବନ୍ୟା ପରିସ୍ଥିତି ଜାରି ରହିଛି। ବିଶେଷ କରି ବାଲୁଚିସ୍ତାନ, ସିନ୍ଧ, ଗିଲଗିଟ-ବାଲ୍ଟିସ୍ତାନ ଏବଂ ଖାଇବର ପାସ୍ତୁନଖ୍ବା ବନ୍ୟା ପ୍ରଭାବିତ ଜିଲାମାନଙ୍କରେ ଉଦ୍ଧାର ଓ ରିଲିଫ କାର୍ଯ୍ୟ ଆରମ୍ଭ କରାଯାଇଛି।

ଏହି ଅଞ୍ଚଳରେ ବନ୍ୟା ଜଳ ଘେରରେ ହଜାର ହଜାର ଲୋକ ଫସି ରହିଛନ୍ତି। ଆନ୍ତଃ- ସେବା ଜନସମ୍ପର୍କ ବିଭାଗ କହିଛି ଯେ ଜୁଲାଇ ୧ ଠାରୁ ବାଲୁଚିସ୍ତାନରେ ୪୬୭ ପ୍ରତିଶତ ଅଧିକ ବର୍ଷା ହୋଇଛି। ବନ୍ୟାରେ ବାଲୁଚିସ୍ତାନର ଲାସବେଲା, କେଚ, କ୍ୱେଟା, ସିବି, ଖୁଜଦାର ଏବଂ କୋହଲୁ ଆଦି ୨୯ ଟି ଜିଲା ପ୍ରଭାବିତ ହୋଇଛି।

Share