ଇସଲାମାବାଦ,୬।୪ : ମାଗଣା ରାଶନ ବଣ୍ଟନ କରୁଥିବାବେଳେ ପାକିସ୍ତାନର ମନସେହରା ଗାଁର ଲୋକମାନେ ପ୍ରଶାସନ ନିକଟରେ ଏଥିରେ ବ୍ୟାପକ ହେରଫେର ହୋଇଥିବା ଅଭିଯୋଗ କରିଛନ୍ତି। ଗ୍ରାମବାସୀ କହିଛନ୍ତି,ସରକାର ଅଭାବୀ ପରିବାରକୁ ମାଗଣାରେ ଅଟା ବଣ୍ଟନ କରନ୍ତି। କିନ୍ତୁ କିଛି ଲୋକ ଏହାକୁ ବାଟ ମାରଣା କରୁଛନ୍ତି।
ଜୁଲୋ ଗ୍ରାମ ପରିଷଦର ମୌଲାନା ୱାକର ଅହମ୍ମଦ କହିଛନ୍ତି ଯେ କିଛି ଲୋକ ଜିଲା ପ୍ରଶାସନର ଅଟା ବିତରକଙ୍କ ସହ ମିଶି ହେରଫେର କାର୍ଯ୍ୟ କରୁଛନ୍ତି। ଏହି କାରଣରୁ ଗାଁର ୪୦୦ ପରିବାର ସେମାନଙ୍କ ମାଗଣା ରାଶନ ପାଇନାହାଁନ୍ତି। ସେ କହିଛନ୍ତି, ଯେତେବେଳେ ଲୋକମାନେ ସେମାନଙ୍କ ରାଶନ ସଂଗ୍ରହ କରିବାକୁ ପହଞ୍ଚିଥିଲେ, ସେଠାରେ ଉପସ୍ଥିତ ଥିବା ଅଟା ବିତରକମାନେ ସେମାନେ ପୂର୍ବରୁ ଅଟା ନେଇ ସାରିଥିବା କହି ସେମାନଙ୍କୁ ଅଟା ଦେବାକୁ ମନା କରିଦେଇଥିଲେ। ଅହମ୍ମଦ କହିଛନ୍ତି ଯେ ଜୁଲୋ, ବୋହରାଜ, ବାସୁନ୍ଦ ଏବଂ ଏହାର ଆଖପାଖ ଅଞ୍ଚଳର ଅଧିକାଂଶ ଲୋକଙ୍କୁ ସେମାନଙ୍କ ରାଶନ ମିଳି ନାହିଁ।