ରାଗିଗଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ: ରଖିଲେ ଏମିତି ସର୍ତ୍ତ

ଇସଲମାବାଦ,୧୨।୫: କରୋନା ଏବଂ ଆର୍ଥିକ ସଙ୍କଟ ସହ ଲଢୁଥିବା ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ପୁଣି ଥରେ କଶ୍ମୀର ମାମଲାକୁ ନେଇ ରାଗିଯାଇଛନ୍ତି। ଇମ୍ରାନ ଖାନ କହିଛନ୍ତି ଯେ,ଜମ୍ମୁ କଶ୍ମୀରକୁ ସ୍ବତନ୍ତ୍ର ମାନ୍ୟତା ପ୍ରତ୍ୟାହାର ନିଷ୍ପତ୍ତି ନୂଆଦିଲ୍ଲୀ ପ୍ରତ୍ୟାହାର ନ କରିବା ପର୍ଯ୍ୟନ୍ତ ପାକିସ୍ତାନ ଭାରତ ସହ ଆଲୋଚନା କରିବ ନାହିଁ। ସୂଚନାଯୋଗ୍ୟ, ଅଗଷ୍ଟ ୫, ୨୦୧୯ରେ ଭାରତ ଧାରା ୩୭୦ର ଉଠାଇ ଦେଇଥିଲା। ଏହାସହ ଜମ୍ମୁ କଶ୍ମୀର ଏବଂ ଲଦାଖକୁ ଦୁଇଟି ପୃଥକ ୟୁନିଅନ ପ୍ରଦେଶ କରାଯାଇଥିଲା। ଏହା ପରେ ପାକିସ୍ତାନ ଭାରତ ସହ ବ୍ୟବସାୟିକ ସମ୍ପର୍କ କାଟିଦେଇଥିଲା। କାଶ୍ମୀର ଉପରେ ନିଆଯାଇଥିବା ନିଷ୍ପତ୍ତି ପ୍ରତ୍ୟାହାର ନକରିବା ପର୍ଯ୍ୟନ୍ତ ପାକିସ୍ତାନ ସରକାର କୌଣସି ମୂଲ୍ୟରେ ଭାରତ ସହ ଆଲୋଚନା କରିବେ ନାହିଁ। ଲାଇଭ ପ୍ରସାରଣ ଅଧିବେଶନରେ ଇମ୍ରାନ ସାଧାରଣ ଲୋକଙ୍କ ପ୍ରଶ୍ନର ଉତ୍ତର ଦେବା ଅବସରରେ ଏକଥା କହିଛନ୍ତି।
ଏହାପୂର୍ବରୁ ପାକିସ୍ତାନର ବୈଦେଶିକ ମନ୍ତ୍ରୀ ଶାହ ମେହମୁଦ କୁରେଶି କହିଛନ୍ତି ଯେ ଏବେ ଭାରତ ସହ କୌଣସି ଆଲୋଚନା ହେବନାହିଁ, କିନ୍ତୁ ଯଦି ନୂଆଦିଲ୍ଲୀ କଶ୍ମୀର ଉପରେ ନୀତି ସଂଶୋଧନ କରି କଶ୍ମୀରବାସୀଙ୍କୁ ସହାୟତା ପ୍ରଦାନ କରେ ତେବେ ଆଲୋଚନା ହୋଇପାରେ।

Share