ସାମ୍ବାଦିକଙ୍କୁ ମାଡ ମାରିଲେ ପାକିସ୍ତାନ ଅର୍ଥମନ୍ତ୍ରୀ ଇଶାକ, ଭିଡିଓ ଭାଇରାଲ

ଇସଲାମବାଦ,୨୩।୬:ପାକିସ୍ତାନର ଅର୍ଥମନ୍ତ୍ରୀ ଇଶାକ ଦାର୍‌ ଜଣେ ସାମ୍ବାଦିକଙ୍କୁ ଚାପୁଡ଼ା ମାରିଥିବା ଅଭିଯୋଗ ହୋଇଛି। ସାମ୍ବାଦିକ ଅଭିଯୋଗ କରିଛନ୍ତି ଯେ ଯେତେବେଳେ ସେ ଦାର୍‌ଙ୍କୁ ପ୍ରଶ୍ନ କରିଥିଲେ ସେତେବେଳେ ସେ ରାଗିଯାଇ ତାଙ୍କୁ ଚାପୁଡ଼ା ମାରିଥିଲେ। ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ସାମ୍ବାଦିକ ପାକିସ୍ତାନୀ ସଂସଦ ଗୃହରେ ଆନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (ଆଇଏମଏଫ) କାର୍ଯ୍ୟକ୍ରମ ବିଷୟରେ ଅର୍ଥମନ୍ତ୍ରୀଙ୍କୁ ପ୍ରଶ୍ନ ପଚାରିଥିଲେ।

ଭିଡିଓରେ ଦେଖାଯାଇଛି କି, ଅର୍ଥମନ୍ତ୍ରୀ ଇଶାକ ବିଧାନସଭା ଅଧିବେଶନକୁ ସମ୍ବୋଧିତ କରିବା ପରେ ବାହାରକୁ ଯାଉଛନ୍ତି। ସେତେବେଳେ ସହିଦ କୁରେଶି ନାମକ ଜଣେ ସାମ୍ବାଦିକ ତାଙ୍କୁ ଲଗାତାର ପ୍ରଶ୍ନ ପଚାରିବା ଆରମ୍ଭ କରିଛନ୍ତି। ତେବେ ମନ୍ତ୍ରୀ ତାଙ୍କୁ ଉତ୍ତର ନ ଦେଇ ଚାଲିଯାଉଥିଲେ।

ପରେ ଆଇଏମଏଫରୁ ୧.୧ ବିଲିୟନ ଆମେରିକୀୟ ଡଲାରର ଚୁକ୍ତି ହାସଲ କରିବାରେ ସରକାରଙ୍କ ବିଫଳତା ଉପରେ ସାମ୍ବାଦିକ ଦାରଙ୍କୁ ପ୍ରଶ୍ନ କରିଛନ୍ତି। ଦାର୍‌ ଉତ୍ତର ଦେଇଛନ୍ତି ଯେ ଏହି ଚୁକ୍ତି ହୋଇପାରିବ ନାହିଁ କାରଣ ଆପଣଙ୍କ ପରି ଲୋକମାନେ ସିଷ୍ଟମରେ ଅଛନ୍ତି। ସାମ୍ବାଦିକ ନିଜକୁ ରକ୍ଷା କରି କହିଛନ୍ତି, ସାମ୍ବାଦିକମାନେ ସିଷ୍ଟମର ଅଂଶ ନୁହଁନ୍ତି ବରଂ କେବଳ ପ୍ରଶ୍ନ ପଚାରନ୍ତି। ଏହାକୁ ଶୁଣି ଦାର୍‌ ସାମ୍ବାଦିକଙ୍କ ନିକଟକୁ ଆସି ତାଙ୍କୁ ଚାପୁଡ଼ା ମାରିଥିଲେ।

Share